ଗଣିଆନାଳ ଛକ ରାସ୍ତାକଡରୁ ଛତିଶଗଡର ୧୬ ଜଣ ଶ୍ରମିକ ଉଦ୍ଧାର ।

0 105

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୩/୦୪-  ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ରାସ୍ତାକଡ଼ରୁ ଛତିଶଗଡ଼ ଅଞ୍ଚଳର ୧୬ ଜଣ ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଶିଶୁଙ୍କ ସମେତ ୭ ମହିଳା ଥିବା ଜଣାପଡ଼ିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ବିଳମ୍ବିତ ରାତିରେ ଉଦ୍ଧାର ଶ୍ରମିକମାନଙ୍କୁ ସିଦ୍ଧେଶ୍ୱର ଗ୍ରାମ ହାଇସ୍କୁଲ ପରିସରରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥଇଥାନ କରାଯାଇଥିଲା। ଗୁରୁବାର ମଧ୍ୟାହ୍ନରେ ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦୈତ କୁମାର ସ୍ବାଇଁ, ବିଡିଓ ହଳଧର ଶବର,ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ, ତିଳୋତ୍ତମା ଦୋରା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିବା ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା ଜଣାଇଛନ୍ତି। ଉଦ୍ଧାର ଅଣଓଡ଼ିଆ ଶ୍ରମିକ ରଥରାମ ଟେଣ୍ଡନ,ନରେଶ ଜୋଲେହେ, ନବୀନ ଟେଣ୍ଡନ, ହୀରାଲାଲ କୁରେ, ଅବିନାଶ ୱାରେ, ରାମକୃଷ୍ଣ ଟେଣ୍ଡନ,ବିଜୟ କୁମାର ଟେଣ୍ଡନ,କହ୍ନେୟା ୱାରେଶ। ସେମାନେ ଗତ ୪ ମାସ ହେଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମସ୍ଥିତ ରୋହିତ ନାହାକଙ୍କ ଇଟାଭାଟିରେ ଚୁକ୍ତିଭିତ୍ତିକ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ ପରଠାରୁ କାମ ବନ୍ଦ ଥିଲା। କାମବନ୍ଦ ପରେ ଇଟାଭାଟି ମାଲିକ କିଛିଦିନ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଥିଲେ। କିନ୍ତୁ ଗତ ରବିବାରଠାରୁ ଖାଦ୍ୟସାମଗ୍ରୀ ଦେଇ ନ ଥିଲେ। ଯାହାକିଛି ଖାଦ୍ୟ ସାମଗ୍ରୀ ଥିଲା ସେସବୁ ସରିଯାଇଥିଲା। ଭୋକ ଅସହ୍ୟ ହେବାରୁ ସେମାନେ ବାଧ୍ୟହୋଇ ବୁଧବାର ରାତିରେ ପିଲାଛୁଆଙ୍କୁ ଧରି ଚାଲି ଚାଲି ଗାଁ ଅଭିମୁଖେ ବାହାରିଥିଲେ। ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ ଏନେଇ ଖବର ପାଇବା ପରେ ଗଞ୍ଜାମ ଜିଲାପାଳଙ୍କୁ ସବିଶେଷ ସୂଚନା ଦେଇଥିଲେ।
ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.