ବେଲଗୁଣ୍ଠା,(ପିପିଟି)୦୬/୦୫,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କଂସାରୀ ସାହି ଓ ଜଗନ୍ନାଥ ପାଟଣା ସାହିକୁ ଲାଗି ରହିଥିବା ନଳାଟି ବହୁ ଦିନରୁ ସଫା ହୋଇ ନଥିଲା ।ଫଳରେ ଅସରାଏ ବର୍ଷା ହେଲେ ନଳାରୁ ମଇଳା ପାଣି ଓ ଆବର୍ଜନା ନିଷ୍କାସନ ହୋଇ ନ ପାରି କଂସାରୀ ସାହି ଭିତରକୁ ପଶିବା ସହ କୋଳି ସାହି ଆଡକୁ ଯାଇ ବହୁ ସାହି ବାସିନ୍ଦାଙ୍କ ଘର ଦ୍ୱାର ଦେଇ ପ୍ରବାହିତ ହେଉଥିଲା ।ଏହାଦ୍ବାରା ସାହିବାସିନ୍ଦା ଅପ୍ରୀତିକର ପରିସ୍ଥିତିର ସାମନା କରୁଥିଲେ ଏବଂ ପଚାସଢା ଗନ୍ଧରେ ଏକ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିଲା ।ଏ ନେଇ ସାହି ବାସିନ୍ଦା ବହୁ ଦିନ ହେଲା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା ।ଏନ୍.ଏ.ସି କର୍ତ୍ତୃପକ୍ଷ ଏହି ନଳା ଉପରେ ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗର ରାସ୍ତା ଯାଇଥିବାରୁ ସେହି ବିଭାଗକୁ ଜଣାଇବାପାଇଁ କହି ନିଜ ଉପରୁ ଦୋଷ କାଢି ଦେଇଥିଲେ ।ପୂର୍ବତନ କାଉନସିଲର ଯତିନ୍ ପାତ୍ର ଓ ଆଇନଜୀବୀ ଗଗନ ବିହାରୀ ବିନ୍ଧାଣିରାଙ୍କ ନେତୃତ୍ୱରେ ସାହିବାସିନ୍ଦା ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ, ସ୍ଥାନୀୟ ତହସିଲଦାର ସରୋଜ କୁମାର ବେହେରା,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇ ଥିଲେ ।ସହକାରୀ ଯନ୍ତ୍ରୀ ଓ ସ୍ଥାନୀୟ ତହସିଲଦାର ଏହି ଅଭିଯୋଗକୁ ଗୁରୁତର ସହିତ ନେଇ ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ ।ଏହି ଖବର କିଛି ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗ ତତ୍ପରତା ପ୍ରକାଶ କରି ଆଜି ଉକ୍ତ ନଳା କାମ ଆରମ୍ଭ କରିଛନ୍ତି ।ଏହି କାର୍ଯ୍ୟ ତୁରନ୍ତ ସମାପ୍ତ କରାଯିବ ବୋଲି ମଧ୍ୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ପୂର୍ବତନ କାଉନସିଲର ଯତିନ୍ ପାତ୍ର ଜଣାଇବାସହ ରାସ୍ତା ,କୋଠାବାଡି ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ,ତହସିଲଦାର ଓ ବେଲଗୁଣ୍ଠା ପ୍ରେସ୍ କ୍ଲବକୁ କୃତଜ୍ଞତା ଜଣାଇଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।