ବ୍ରହ୍ମପୁର,୧୧/୧୨(ପିପିଟି): ଗଞ୍ଜାମ ଜିଲ୍ଲାରେ ଧରା ପଡିଲା ନକଲି ଚାଷୀ ପଞ୍ଜିକରଣ । ଚାଷ ଅସଲି କିନ୍ତୁ ନକଲି ଚାଷୀ । ୧୨୦୦ ନକଲି ଚାଷୀ ପଞ୍ଜିକରଣ କରିଥିଲେ ୧୦ ହଜାର ଏକର ଜମି । ଜମି ନଥାଇ ଘର ଡିହ ଏବଂ ବାସ ଗୃହ ପଟ୍ଟା ଦେଖାଇ ପଞ୍ଜିକରଣ କରିଥିବା ଏବେ ସ୍ପଷ୍ଟ ହୋଇଛି । ରାଜସ୍ବ ବିଭାଗ ପକ୍ଷରୁ କ୍ଷେତ୍ର ଅନୁଧ୍ୟାନ ପରେ ଏବେ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଏହା ଜଣା ପଡିବା ପରେ ନକଲି ଚାଷୀଙ୍କ ପଞ୍ଜିକରଣ କୁ ରଦ୍ଧ କରାଯାଇଛି । ଅନେକ ସମୟରେ ଜମି ନଥାଇ ଚାଷୀ ପଞ୍ଜିକରଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା ହେଲେ କାର୍ଯ୍ୟନୁଷ୍ଠାନ ହେଉନଥିଲା । ଏବେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲାର ୪୪୦ ସମବାୟ ସମିତିରେ ୧୨୦୦ ନକଲି ଚାଷୀ ପଞ୍ଜିକରଣ ଚିହ୍ନଟ କରାଯାଇଛି । ଏହି ଚାଷୀଙ୍କ ଅଧୀନରେ ପ୍ରାୟ ୧୦ହଜାର ଏକର ଚାଷ ଜମି ରହିଥିବା ଜଣା ପଡ଼ିଛି ।ଏହା ଜଣା ପଡିବା ପରେ ନକଲି ଚାଷୀଙ୍କ ନାମ ପଞ୍ଜିକରଣ ତାଲିକାରୁ ବାଦ ଦିଆଯାଇଛି । ତେବେ ମିଥ୍ୟା ତଥ୍ୟ ଦେଇ ଦୀର୍ଘ ବର୍ଷ ଧରି ଜମି ନଥାଇ ଚାଷ ନକରି ଧାନ କିଣା ବାବଦରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି ଏହି ନକଲି ଚାଷୀ । ଖାଲି ଚାଷୀ ନୁହଁ ଏଥିରେ କିଛି ସମବାୟ ସମିତି କର୍ମକର୍ତ୍ତା ମଧ୍ୟ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି । ମୁଣ୍ଡ ଝାଳ ତୁଣ୍ଡେ ମାରି ବର୍ଷ ତମାମ ବିଲରେ ପରିଶ୍ରମ କରି ଚାଷୀ ଯେଉଁ ଧାନ ସଂଗ୍ରହ କରେ ତାକୁ ବିକିଲା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । କେତେ ବେଳେ ଟୋକେନ୍ ଥାଇ ଧାନ ବିକି ପାରେନା ତ ଆଉ କେତେବେଳେ ଟୋକେନ୍ ତାଲିକା ରୁ ବାଦ ପଡ଼ିଯାଏ । ଆଉ ଏବେ ଏହି ନକଲି ଚାଷୀଙ୍କ ଯୋଗୁଁ ଅନେକ ଅସଲ ଚାଷୀ ଧାନ ବିକ୍ରି କରିବାରି ବଞ୍ଚିତ ହେଉଛନ୍ତି । ଡିସେମ୍ବର ୨୯ ରୁ ଗଞ୍ଜାମରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଜିଲା ପ୍ରଶାସନ ଏହି ପ୍ରକ୍ରିୟାରେ କେତେ ସ୍ୱଚ୍ଛତା ଆଣୁଚି ତାହା ଦେଖିବାକୁ ବାକି ରହିଲା ।
(ରିପୋର୍ଟ- ଆରତ କୁମାର ହୋତା। )