କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି “ଇତି କଳାକାର ଉବାଚ” ଲୋକାର୍ପିତ ।

0 179

ବ୍ରହ୍ମପୁର, ତା. ୦୩/୦୭ :ରାଜ୍ୟର ସର୍ବବୃହତ୍ କଳାକାର ପ୍ରତିଷ୍ଠାନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ସ୍ଵନକ୍ଷତ୍ର ଦିବସ ଅବସରରେ କରୋନା ମହାମାରୀ ପ୍ରକୋପ ଜନିତ ନାନାବିଧ କଟକଣା ଭିତରେ ପ୍ରଥମ ବାର୍ଷିକୋତ୍ସବ ପାଳନ କରା ନ ଯାଇ କେବଳ ସଂଘ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ଭିସିଡି “ଇତି କଳାକାର ଉବାଚ” ର ଲୋକାର୍ପିତ ହୋଇଯାଇଛି । ସାମାଜିକ ଦୂରତ୍ବ ତଥା ପ୍ରଶାସନିକ ନିୟମ ପାଳନ ସହିତ ସ୍ଥାନୀୟ ଜାତୀୟ ସଙ୍ଗୀତ କଲକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର ତଥା ପୂର୍ବତନ କର୍ପୋରେଟର ବଦ୍ରି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିସିଡିଟିକୁ ଲୋକାର୍ପିତ କରିବା ସହିତ ମାତ୍ର ଗୋଟାଏ ବର୍ଷ ଅବଧି ଭିତରେ ସଂଘ ଯେଭଳି ଭାବରେ ଉଭୟ କଳା ଓ କଳାକାରଙ୍କ ହୀତ ସାଧନ ତଥା ପ୍ରକୃତ ପଞ୍ଚମ ବେଦର ପ୍ରଚାରକ ଭାବରେ ଜଗତ କଲ୍ୟାଣ କାର୍ଯ୍ୟ ସମ୍ପାଦିତ କରି ଚାଲିଛି ବାସ୍ତବିକ୍ ତାହା ଅତ୍ୟନ୍ତ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ନୃତ୍ୟ ଶିଳ୍ପୀ ସୁବାସ ଚନ୍ଦ୍ର ସାହୁ ମାମା ଅଧ୍ୟକ୍ଷତା କରିଥିବା ବେଳେ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଥିଲେ । ଲୋକାର୍ପିତ ଭିସିଡିଟିର କାହାଣୀ ଓ ଚିତ୍ରନାଟ୍ୟ ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ରଚନା କରିଥିବା ବେଳେ ନାଟ୍ୟ ଗୌରବ ଡା. ତିରୁପତି ସାହୁ ନିର୍ଦ୍ଦେଶନା ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବରିଷ୍ଠ ଲୋକ କଳା ବିତ୍ ଅଭିମନ୍ୟୁ ବିଶୋୟୀ, ଲୋକନାଟ୍ୟ ନିର୍ଦ୍ଦେଶକ ବିଜୁଳି ଦାସ, ସୁନାମଧନ୍ୟ କଣ୍ଠଶିଳ୍ପୀ ଇସ୍ମାଇଲ୍ ଖାନ୍, ଲୋକନୃତ୍ୟବିତ୍ ସାହେବ ସାହୁ, ବରିଷ୍ଠ ରୂପକାର ବଳରାମ ମହାପାତ୍ର ପ୍ରମୁଖଙ୍କୁ ସଂଘ ପକ୍ଷରୁ ଯତ୍ କିଞ୍ଜିତ୍ ଆର୍ଥିକ ସହାୟତା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଛଳରେ ସଂଘର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ସାମଲ, ନୀଳ ମାଧବ ଜେନା, କୁନୁ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ଭଗବାନ ସାମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.