ଓଡିଶା ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଣିବାର ବ୍ୟବସ୍ଥା କରନ୍ତୁ ।

0 197

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧୫/୦୫,ଲକ୍ ଡାଉନ୍ ଯୋଗୁଁ ଦିର୍ଘ ୫୦ ଦିନରୁ ଉର୍ଦ୍ଧ୍ବ ଅନ୍ୟ ରାଜ୍ୟରେ ବିନା କାମରେ ପଇସା ଓ ଖାଦ୍ୟ ଅଭାବରୁ ପଡି ରହିଥିବା ଲକ୍ଷ ଲକ୍ଷ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାରେ ଓଡିଶା ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି । ଶ୍ରମିକମାନଙ୍କୁ ଆଣିବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ବେ ଏଯାଏଁ ଯଥାଶୀଘ୍ର ସେମନଙ୍କୁ ଅଣାଯାଉଛି ନା କେତେ ତାରିଖରେ ଅଣାଯିବ ତାହା ଘୋଷଣା କରାଯାଉଛି । ଏଭଳି ପରିସ୍ଥିତିରେ ରାଜ୍ୟ ଵାହାରେ ରହିଥିବା ଓଡ଼ିଶାର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଅତ୍ୟନ୍ତ ହତାଶା ଓ ମାନସିକ ଚାପରେ ରହିଛନ୍ତି । ଫେରିବା ସମ୍ପର୍କରେ କୌଣସି ସଠିକ ସୁଚନା ପାଉନଥିବାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିକଟସ୍ଥ ରେଳଷ୍ଟେସନ ବା ପୋଲିସ ଥାନାକୁ ବୁଝିବାକୁ ଯାଇ ନିରାଶ ହୋଇ ଫେରିବା ଦେଖିବାକୁ ମିଳୁଛି । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଟ୍ରେନ ଯୋଗେ ସେମାନଙ୍କୁ ଆଣିବା ନେଇ ଦୄଢ ଭରସା ଯୋଗାଇବାରେ ଓଡିଶା ସରକାରଙ୍କ ବିଫଳତା ଯୋଗୁଁ ସେମାନଙ୍କ ମନରେ ଭୟଙ୍କର ହତାଶା ବଢି ଆତ୍ମହତ୍ୟା କରିବାର ଘଟଣା ବି ଦେଖିବାକୁ ମିଳିଛି । ଫେରିବା ନେଇ କୌଣସି ନିର୍ଦ୍ଧିଷ୍ଟ ଆଶ୍ଵାସନା ନପାଇ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଶ୍ରମିକ ଚାଲି ଚାଲି, ସାଇକେଲ ଯୋଗେ ଅଥବା ବୋଟରେ ଏବଂ ମାଲବାହୀ ଟ୍ରକର ଡାଲାରେ ବିପଦ ଶଙ୍କୁଳ ଅବସ୍ଥାରେ ଓଡିଶା ଫେରୁଥିବା ଜଣାପଡିଛି । ଚେନ୍ନାଇରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଓଡ଼ିଶାର ପ୍ରବାସୀ ଶ୍ରମିକ ଗତକାଲି ଠାରୁ ବାହାରି ଚାଲି ଚାଲି ତାମିଲନାଡୁ ସୀମା ପାର କରି ଆନ୍ଧ୍ର ପ୍ରଦେଶରେ ପହଞ୍ଚିଥିବା ଜଣାପଡିଛି । ସରକାର ତୁରନ୍ତ ଏନେଇ ଘୋଷଣା କରିବା ସହ ସେମାନଙ୍କୁ ଦୄଢ ଆଶ୍ଵାସନା ଦିଅନ୍ତୁ ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ସହ କଥା ହୋଇ ଅଧା ରାସ୍ତାରେ ଥିବା ଶ୍ରମିକମାନଙ୍କୁ କମ୍ ସେ କମ୍ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ । ସେମାନଙ୍କୁ ବ୍ୟବସ୍ଥୀତ ଭାବେ ଓଡିଶାକୁ ଆଣିବାର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ରାସ୍ତାରେ ସେମାନେ ମୄତାହତ ହେବା ସହ ଆମ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ରହିଛି ବୋଲି ଆଇଏଫଟିୟୁ ରାଜ୍ୟ କମିଟି ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଛନ୍ତି ।ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.