ଓଡ଼ିଶା ନାଟ୍ୟ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

0 264

ବ୍ରହ୍ମପୁର,୧୭/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ “ଓଡ଼ିଶା ନାଟ୍ୟ ଦିବସ” ପାଳନ ନିମନ୍ତେ ଭଞ୍ଜ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ନାଟ୍ୟ ଇତିବୃତ୍ତକୁ ପର୍ଯ୍ୟାଲୋଚନା କରି କଥପୋକଥନ ଶୈଳୀରେ ରଚିତ କାଳଜୟୀ କାବ୍ୟ ଗ୍ରନ୍ଥ “କିଶୋର ଚନ୍ଦ୍ରାନନ ଚମ୍ପୂ”କୁ ଓଡ଼ିଆ ନାଟ୍ୟ ସାହିତ୍ୟର ପ୍ରାକ୍ ରୂପ ଭାବେ ଗ୍ରହଣ କରି ତାହାର ସ୍ରଷ୍ଟା ପୁଣ୍ୟଶ୍ଳୋକ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମତିଥି ଅର୍ଥାତ୍ ବସନ୍ତ ପଞ୍ଚମୀ ତିଥିରେ ଓଡ଼ିଶା ନାଟ୍ୟ ଦିବସ ରୂପେ ପାଳନ ସମିଚୀନ ଅଟେ ବୋଲି ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା ପ୍ରମୁଖ ମତବ୍ୟକ୍ତ କରିଥିଲେ । ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ କାଳରେ କଳାକାର ପଟୁଆର, ସାଂସ୍କୃତିକ ସଭା, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସହିତ ନାଟକ ପରିବେଷଣ ସଂକ୍ରାନ୍ତରେ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ ସୂଚନା ଦେଇଥିଲେ । ପ୍ରଥମେ ସ୍ବାଗତ ଭାଷଣ ଦେଇଥିବା ଅନୁଷ୍ଠାନର ମହାସଚିବ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜନ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାସଂଘର ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.