ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଦାବିରେ ତହସିଲ ସମ୍ମୁଖରେ କୃଷକ ସଭାର ଆମରଣ ଅନଶନ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ସ୍ଥଗିତ ।
ଏରସମା,୦୪/୧୧(ପିପିଟି):ଚଳିତ ବର୍ଷ ସେପ୍ଟେମ୍ବର ୧୩ରୁ ଲଘୁଚାପଜନିତ ପ୍ରଳୟଙ୍କାରୀ ଓ ମୂଷାଳଧାରାରେ ବର୍ଷା ଫଳରେ ଜଳବୁଡିରେ ଥିବା ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଓ ଚାଷୀକୁ ଏକର ପିଛା ୨୦୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ କୃଷକ ସଭା ପକ୍ଷରୁ ଅନଶନ ଆଜି ତୃତୀୟ ଦିନରେ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି । କାଲି ଅନଶନର ଦ୍ଵିତୀୟ ଦିନ ସନ୍ଧ୍ୟାରେ ଏରସମା ତହସିଲଦାର ଓ ଉପ ଜିଲ୍ଲାପାଳ ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀ ନେତାମାନଙ୍କ ସହିତ ପ୍ରାୟ ଘଣ୍ଟାଏ କାଳ ଆଲୋଚନା କରିଥିଲେ । ଆନ୍ଦୋଳନକୁ ସମର୍ଥନ ଜଣାଇ ଜିଲ୍ଲାପାଳ ମହୋଦୟା ପୁନର୍ବାର ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନଙ୍କୁ ଏରସମା ବ୍ଲକକୁ ନିଶ୍ଚିତ ଭାବେ ସ୍ବତନ୍ତ୍ର ପ୍ୟାକେଜ ଦେବ ପାଇଁ ଦାବୀ କରି ଏକ ଚିଠି ଲେଖିଥିଲେ । ଆଜି ଦିବା ୧୨ଟା ସମୟରେ ଏରସମା ତହସିଲଦାର ଆନ୍ଦୋଳନସ୍ଥଳରେ ପହଁଞ୍ଚି ଜିଲ୍ଲାପାଳ ମହୋଦୟା ସ୍ବତନ୍ତ୍ର ରିଲିଫ କମିଶନର, ଓଡିଶାଙ୍କୁ କରିଥିବା ଚିଠିର ନକଲ ପ୍ରଦାନ କରିବା ସହିତ ଏକ ସପ୍ତାହ ମଧ୍ୟରେ କ୍ଷୟ କ୍ଷତିର ତାଲିକା ଚାଷୀ କମିଟିକୁ ପ୍ରଦାନ କରିବା ଓ ଏରସମାକୁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରିବାର ପ୍ରତିଶୃତି ଦେଇ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ତଦନୁଯାୟୀ ଆଜି ଅପରାହ୍ନ ୪ଟା ବେଳେ ଆନ୍ଦୋଳନ ସ୍ଥଳରେ ଶତାଧିକ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ତ୍ୱରିତ ପଦକ୍ଷେପ ପାଇଁ ଏରସମା ତହସିଲଦାର ଓ ଜଗତସିଂହପୁର ଜିଲ୍ଲାପାଳ ମହୋଦୟାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏରସମା ତହସିଲଦାର ମହୋଦୟ ଅନଶନକାରି ମାନଙ୍କୁ ଫଳରସ ଦେଇ ଅନଶନରୁ ନିବୃତ କରିଥିଲେ । ଆଜି ଅନଶନସ୍ଥଳରେ ବିଶିଷ୍ଠ ବାମପନ୍ଥୀ ନେତା ଅଭୟ ସାହୁ, ଶଶିଭୂଷଣ ସ୍ୱାଇଁ,ପିତାମ୍ବର ଦାସ, ବଇଁଶୀଧର ବେହେରା, ଦାମୋଦର ବେହେରା, ଜପା ସରପଞ୍ଚ ତପନ ଗୋଛାୟତ,ସମରେଶ ମୁଦୁଲି, ଶରତ ମଳିକ,ମହେଶ୍ୱର ମହାପାତ୍ର,ବାସୁଦେବ ଖଣ୍ଡୁଆଳ, ହରେକୃଷ୍ଣ ମଣ୍ଡଳ,ବିଦ୍ୟୁଲତା ବେଉରା, ପ୍ରତିମା ଲେଙ୍କା, ଲଷ୍ମୀପ୍ରିୟା ବାରିକ, ମାତାଙ୍ଗିନୀ ବେଉରା, ଭାରତୀ ସାହୁ, ନୟନା ବିଶ୍ୱାଳ ,ଅମରେନ୍ଦ୍ର ଦାସ, ବସନ୍ତ ସାହୁ,ମାନସ ମୁଦୁଲି,କାହ୍ନା ସେନାପତି, ଶ୍ରୀକାନ୍ତ ସ୍ୱାଇଁ, ପ୍ରଭଞ୍ଜନ ରାଉତ ପ୍ରମୁଖ ଆନ୍ଦୋଳନକୁ ପରିଚାଳନା କରିଥିଲେ ।