ଆବଦ୍ଧଅଞ୍ଚଳ ଅନ୍ତର୍ଗତ ସମସ୍ତ ବସ୍ତିବାସିନ୍ଦା ପରିବାରଙ୍କୁ ଦିନକୁ ଦୁଇବେଳା ସୁଷମ ରନ୍ଧାଖାଦ୍ୟ, ଆତ୍ୟବଶ୍ୟକୀୟ ସାମଗ୍ରୀ ବିନାମୂଲ୍ୟରେ ଯୋଗେଇ ଦେବାକୁ ଦାବି ।

0 506

ଭୂବନେଶ୍ୱର,୨୩/୦୭(ପିପିଟି) ଆଇ ଆର ସି ଭିଲେଜ ଅନ୍ତର୍ଗତ ତ୍ରିନାଥ ବସ୍ତି, ଗଣପତି ନଗର ଓ ଗଣପତି ନଗର (ବି) ଓ ଗାନ୍ଧିବସ୍ତି ଆବଦ୍ଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍) ଘୋଷିତ ହୋଇଛି। ଗତକାଲି ଠାରୁ ବସ୍ତି ଚାରିପଟୁ ପ୍ରଶାସନ ପକ୍ଷରୁ ବାଉଁଶବାଡ଼ କରି ଦିଆଯାଇଛି। ଏହି ବସ୍ତିରୁ ଗତ ୩ ଦିନ ଭିତରେ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସବୁ ବସ୍ତିର ୯୯ ଭାଗ ଲୋକ ଦିନ ମଜୁରିଆ। ନିର୍ମାଣ ଶ୍ରମିକ ଏବଂ ଘରୋଇ ଶ୍ରମିକ। କିଛି ହାତଗଣତି ଅଟୋ ଚାଳକ ଓ ପରିବା, ଚା ଦୋକାନୀ ଅଛନ୍ତି । ଗତ ୪ ମାସ ଧରି କାମଧନ୍ଦା ହରାଇ ଭୋକ ଉପାସରେ ପଡିଛନ୍ତି । କାମଧନ୍ଦା ପାଉନଥିଲେ, ନିୟମିତ ଲେବର ଷ୍ଟାଣ୍ଡ ଯାଇ ଫେରନ୍ତି । କାଁ ଭାଁ କିଛି ଜଣ ସପ୍ତାହକୁ ଦିନେ ଦୁଇଦିନ କାମ ପାଉଥିଲେ । ବହୁ ପରିବାରର ରେସନ କାର୍ଡ ଆଦୌ ନାହିଁ । ଅନେକ ପରିବାରଙ୍କ ଗାଁରେ ରେସନ କାର୍ଡ କିନ୍ତୁ ସେମାନେ କାମଧନ୍ଦା ପାଇବା ଆଶାରେ ଏଇଠି ଅଛନ୍ତି । ଏହି ଆବଦ୍ଧ ଅଞ୍ଚଳ ସେମାନଙ୍କ ପାଇଁ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ସରକାର ଓ ପ୍ରଶାସନ କେବଳ ବାଉଁଶବାଡ଼ ବାନ୍ଧି ନିଜ କାମ ସାରି ଦେଇଛନ୍ତି । ସେମାନେ କିଭଳି ଖାଇବେ, କଣ ଖାଇବେ, କିଭଳି ବଂଚିବେ ସେ ସମ୍ପର୍କରେ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି । କାମଧନ୍ଦା ଓ ରୋଜଗାର ହରାଇ ଦୀର୍ଘ ଦିନ ଧରି ମରୁ ମରୁ ବଂଚିଛନ୍ତି ଏହି ପରିବାର ଗୁଡିକ। ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମ ତୁରନ୍ତ ପଦକ୍ଷେପ ନେଇ ଏହି ସବୁ ଅତି ଗରିବ ପରିବାର ଗୁଡିକୁ ଅନ୍ୟୁନ ଦିନକୁ ଦୁଇବେଳା ସୁଷମ ରନ୍ଧାଖାଦ୍ୟ, ରାସନ ସାମଗ୍ରୀ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିନା ମୂଲ୍ୟରେ ଯୋଗେଇ ଦେବାକୁ ସିପିଆଇ-ଏମଏଲ (ରେଡ଼ ଷ୍ଟାର) ପାର୍ଟି ଏବଂ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହା ସମ୍ପର୍କରେ ମାନନୀୟ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ନୋଡାଲ ଅଧିକାରୀ ଏବଂ ବିଏମସି କମିଶନରଙ୍କ ନିକଟକୁ ପାର୍ଟି ପକ୍ଷରୁ ଚିଠି ଲେଖାଯାଇଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ବସ୍ତି ଅଞ୍ଚଳରେ ବ୍ୟାପକ ସଂକ୍ରମଣ ବଢିବା ପାଇଁ ମୁଖ୍ୟତଃ ସରକାରଙ୍କ ନୀତି ଓ ପ୍ରଶାସନ ଦାୟୀ। ଦେଢ଼ମାସ, ଦୁଇମାସ ଭୋକ ଉପାସରେ ପଡିବା ପରେ ଯେତେବେଳେ ବାହାରୁ ଆସିଥିଲେ ଓ ଗାଁରେ ଫସିଥିବା ଶ୍ରମଜୀବୀ କାମଧନ୍ଦା ପାଇବା ଆଶାରେ ପୁଣିଥରେ ସହର ମୁହାଁ ହେଲେ ବିଏମସି ପୁରା ଆଖି ବୁଜି ଦେଲା । ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କହିଲା । ପେଟରେ ଓଦାକନା ପକେଇ ଲୋକେ କେତେଦିନ ଘରେ ସୁରକ୍ଷିତ ରହିବେ । ରୋଗରେ ଅନିଶ୍ଚିତତା ମୃତ୍ୟୁ ଆଗରୁ ଭୋକରେ ନିଶ୍ଚିତ ମରିଯିବା ଭୟରେ ଭିତରେ ଡର ଥାଇ ମଧ୍ୟ ମାନି ପାରିଲେନି ସରକାରୀ ଘୋଷିତ ଶୃଙ୍ଖଳା । ଗୋଟିଏ ଅତି ଛୋଟିଆ କୋଠରୀରେ ଜୀବନ ବିତାଉଥିବା ପରିବାର ତଥା ଗୋଷ୍ଠୀ ପାଇଖାନା, ଗାଧୁଆଘର, ପାଣି ଟ୍ୟାପ ବ୍ୟବହାର କରୁଥିବା ପରିବାରମାନେ କିଭଳି ହୋମ କ୍ବାରେଣ୍ଟାଇନରେ ରହି ପାରିବେ । ଏହା ଅସମ୍ଭବ। ଏହା ସମ୍ପର୍କରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ , ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବାରମ୍ବାର ଜଣାଇବା ପରେ ମଧ୍ୟ ପ୍ରଶାସନ କେବଳ ମିଛ ବାହାଦୁରୀ ପ୍ରଚାରରେ ବ୍ୟସ୍ଥ ରହିଥିଲା । ଫଳସ୍ୱରୂପ ଆଜି ବସ୍ତି ଅଞ୍ଚଳରେ ଆଜି ସଂକ୍ରମଣ ବଢିଛି। ପୁଣି ସରକାର ଆବଦ୍ଧ ଅଞ୍ଚଳ ଘୋଷଣା କରି କେବଳ ବାଉଁଶବାଡ଼ ବାନ୍ଧି ଫୋଟୋ ଉଠେଇ ନିଜ ଦାୟିତ୍ୱ ସାରି ଦେବାକୁ ଚେଷ୍ଟା କରୁଛି । ଲୋକେ ଖାଇବାକୁ ନପାଇଲେ, ଚିକିତ୍ସା ଓ ଅତ୍ୟାବଶ୍ୟକୀୟ ସେବା ନପାଇଲେ ବାଡ଼ ଡେଇଁ, ବାଡ଼ ଭାଙ୍ଗି ଲୁଚିଛପି ବାହାରକୁ ଯିବାକୁ ବାଧ୍ୟହେବେ। ନିଜେ ସଂକ୍ରମିତ ହେବା ସହିତ ଅନ୍ୟଙ୍କୁ ମଧ୍ୟ ସଂକ୍ରମଣ କରିବେ । ଏଣୁ ସରକାର ଓ ବିଏମସି ପ୍ରଶାସନ ତ୍ୱରିତ ସଠିକ ପଦକ୍ଷେପ ନେଇ ଏହାର ଉଚିତ ତଦାରଖ କରି ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବା ଆବଶ୍ୟକ ବୋଲି ସିପିଆଇ-ଏମଏଲ (ରେଡ଼ଷ୍ଟାର) ର ଓଡିଶା ରାଜ୍ୟ ସମ୍ପାଦକ ଶିବରାମ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.