ଆଦିବାସୀ ବୃଦ୍ଧାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ;ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି।

0 327

ବାଲିଗୁଡା,୦୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ । ଏହି ବୃଦ୍ଧା ମହିଳା ଜଣକ ଆଜକୁ ୨ ବର୍ଷ ରୁ ଅଧିକ ହେବ ଏକ ଅଜଣା ରୋଗରେ ପୀଡିତ ଅଛନ୍ତି । ତାଙ୍କ ପାଟିର ତଳ ଓଠ ଏବଂ ଜିଭ ଫୁଲି ଯାଇ ଘା ରେ ଭର୍ତ୍ତି ହୋଇଛି । ଅନେକ ଦିନ ଭଲରେ ଖାଇବା, ପିଇବା କରି ନପାରି ଅତି ଦୁର୍ବଳତାରେ ଅଛନ୍ତି । ସେ ବାଲିଗୁଡା ଓ ବିଷମ କଟକ ମେଡିକାଲ୍ କୁ ଚିକିତ୍ସା ପାଇଁ ଯାଇଥିଲେ କିନ୍ତୁ ସେଠାରେ ଏହି ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହି ଫେରାଇବା ସହ ବଡ଼ ମେଡିକାଲ ଯାହାକି ବ୍ରହ୍ମପୁର କିମ୍ବା ଭୁବନେଶ୍ୱରକୁ ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଆ ଭାଷା ବୁଝି ପାରୁ ନ ଥିବା ଏହି ଆଦିବାସୀ ବୃଦ୍ଧାମହିଳା ଜଣକଙ୍କ ପାଖରେ ଏହି ଲକ୍ ଡାଉନ୍ ସମୟରେ ଗାଡ଼ି ଭଡ଼ା କରି ବ୍ରହ୍ମପୁର ବା ଭୁବନେଶ୍ଵର ଯିବା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ତୁମୁଡିବନ୍ଧ ମେଡିକାଲ କୁ ଯାଇ ଆମ୍ବୁଲାନ୍ସରେ ଯିବା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନ ଥିଲା । ତାଙ୍କ ପରିବାର ଓ ଗ୍ରାମବାସୀମାନେ ସରକାରଙ୍କ ଠାରେ ଶ୍ରୀମତୀ ମାଝୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ ଆଶା କରି କହିଛନ୍ତି ଯଦି ସରକାର ଏଥିରେ ହସ୍ତକ୍ଷେପ ନ କରନ୍ତି ତାହାହେଲେ ନିଶ୍ଚିତ ଭାବେ ସେ ବୃଦ୍ଧା ମା ଜଣକଙ୍କ ଜୀବନ ହାରିଦେବେ ବୋଲି କହୁଛନ୍ତି । ଦେଖିବାକୁ ବାକି ରହିଲା ଯେ ସରକାର ତାଙ୍କୁ ଚିକିତ୍ସା କରୁଛନ୍ତି ନା ସେପରି ରୋଗରେ ମୃତ୍ୟୁବରଣ କରି ବାକୁ ଛାଡ଼ି ଦେଉଛନ୍ତି । ପ୍ରକାଶ ଥାଉ କି ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ଏହି ଗ୍ରାମକୁ କେବେ ମଧ୍ୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ପହଞ୍ଚି ପାରିନାହିଁ ଏବଂ ଅନେକ ସମସ୍ୟା ରେ ଲୋକ ମାନେ କଷ୍ଟ ପାଉଛନ୍ତି ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବି ହେଉଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.