ଅଦାଲତ ଅବମାନନା ଅଭିଯୋଗରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷଣା ପ୍ରତ୍ୟାହାର କର: ରାଜ୍ୟବ୍ୟାପୀ ପ୍ରତିବାଦ ପ୍ରଦର୍ଶନ ।

0 742

ଭୁବନେଶ୍ଵର, ତା୧୯/୦୮/୨୦: ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ଓ ପୂର୍ବତନ ମୁଖ୍ୟ ବିଚାରପତି ମାନଙ୍କ ସମ୍ପର୍କରେ ଟୁଇଟ କରିବା ଅଭିଯୋଗରେ ଦେଶର ବିଶିଷ୍ଟ ମାନବଧୀକାର କର୍ମୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ଓ ଦଣ୍ଡିତ କରିବା ପ୍ରକ୍ରିୟାକୁ ଓଡିଶାର ବିଭିନ୍ନ ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନର ନେତୃବୃନ୍ଦ ସମାଲୋଚନା କରିବା ସହିତ ରାଜ୍ୟବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରି ଏହାକୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାର ଉପରେ ଏହା ଏକ ନଗ୍ନ ଆକ୍ରମଣ ବୋଲି ଅଭିଯୋଗ କରି ଏହା ବିରୋଧରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ଓ ପ୍ରତିବାଦ ସହିତ ସାମିଲ ହୋଇ ‘ ଆମେ ପ୍ରଶାନ୍ତ ଭୂଷଣଙ୍କ ସହ ଅଛୁ’ ବୋଲି ସ୍ଲୋଗାନ ଦେଇ ଆଜି ରାଜଧାନୀ ଭୁବନେଶ୍ଵରରେ ବିଭିନ୍ନ ଗଣ ସଂଗଠନ ଓ ମାନବ ଅଧିକାର ସଂଗଠନ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ନ୍ୟାୟପାଳିକା ହେଉ କିମ୍ବା ବ୍ୟବସ୍ଥାପିକା ହେଉ, ଜନସାଧାରଣ ସମସ୍ତଙ୍କ ଉପରେ ଏବଂ ଜନସାଧାରଣଙ୍କ ମତବ୍ୟକ୍ତ କରିବା ତଥା ସମାଲୋଚନା କରିବା ଅଧିକାର ଉପରେ ଅଙ୍କୁଶ ଲଗାଇବା ଅର୍ଥ ଗଣତନ୍ତ୍ରର କଣ୍ଠରୋଧ କରିବା ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ । କାଶ୍ମୀର ଜନସାଧାରଣଙ୍କ ଉପରେ ଦମନଲୀଳା ହେଉ କିମ୍ବା କରୋନା ବିପର୍ଯ୍ୟୟ ଆଳରେ ପ୍ରବାସୀ ଶ୍ରମିକଙ୍କ ନିର୍ଯାତନା ତଥା ପେଟ-ପାଟଣା ସମସ୍ୟା ହେଉ ଅଥବା ନାଗରିକ ଅଧିକାର ସଂଶୋଧନ ଆଇନ ନାମରେ ସାଧାରଣ ଜନତାର ସ୍ଵାର୍ଥବିଷୟକୁ ସର୍ବୋଚ୍ଚ ନ୍ୟାୟାଳୟ ଭୁଲିଯାଇଥିବାବେଳେ ଏକ ସାଧାରଣ ସମାଲୋଚନାମୂଳକ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟ ନିଜ ଆଡୁ ମକଦ୍ଦମା ରୁଜ୍ଜୁ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେମାନେ ମତ ଦେଇଛନ୍ତି। ଦେଶର ପ୍ରମୁଖ ସମସ୍ୟା ସମ୍ବନ୍ଧରେ ସଦାସର୍ବଦା ଜନସ୍ଵାର୍ଥ ସମ୍ବଳିତ ମାମଲା ରୁଜ୍ଜୁ କରି ବିଚାର ବିଭାଗକୁ ଜାଗ୍ରତ କରୁଥିବା ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରିବା ଦ୍ଵାରା ସୁପ୍ରିମକୋର୍ଟ ନିଜର ମର୍ଯ୍ୟାଦାହାନୀ କରୁଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଅଦାଲତ ଅବମାନନା ଭଳି ବ୍ରିଟିଶ ଶାସନର ଔପନିବେଶିକ ତଥା ଜନବିରୋଧୀ ଆଇନକୁ ଅବିଳମ୍ବେ ଉଚ୍ଛେଦ କରିବା ସହିତ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ ଘୋଷଣା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି । ଆଜିର ଏହି ପ୍ରତିବାଦରେ ଅଖିଳ ଭାରତ ଜନମଞ୍ଚର ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ଜନ ଅଧିକାର ମଞ୍ଚର ବିଶ୍ଵପ୍ରିୟ କାନୁନଗୋ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ବସ୍ତି ସୁରକ୍ଷା ମଞ୍ଚର ପ୍ରମିଳା ବେହେରା, ସି.ଏସ.ଡିର ପ୍ରଦୀପ ସାହୁ , ଗ୍ୟାସର ସ୍ଵାତୀ ମିଶ୍ର, ଆମେ ଭାରତବାସୀ ପକ୍ଷରୁ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ.ଏଲ)ର ଶ୍ରୀକାନ୍ତ ମହାନ୍ତି, ଫରୱାର୍ଡ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର, ଲୋହିଆ ଏକାଡ଼େମୀର ଦେବରାୟ ମହାପାତ୍ର, ସାମ୍ବାଦିକ ରବି ଦାସ, ରାଜେଶ ମହାପାତ୍ର,ସାମାଜିକ କର୍ମୀ ସୁଧୀର ପଟ୍ଟନାୟକ, ଶ୍ରୀମନ୍ତ ମହାନ୍ତି, ସଞ୍ଜୀବ ପତ୍ରୀ, ଦେବୀପ୍ରସାଦ ପୃଷ୍ଟି, ବିକ୍ରମ ସ୍ଵାଇଁ, ଛାତ୍ରନେତ୍ରୀ ସଙ୍ଘମିତ୍ରା ଜେନା ବିଭିନ୍ନ ରାଜନୈତିକ ଦଳର ଉମାବଲ୍ଲଭ ରଥ, ସୁଦର୍ଶନ ଦାସ, ଗାନ୍ଧୀବାଦୀ ସ୍ତମ୍ବକାର ପ୍ରହଲ୍ଲାଦ ସିଂହ, ବିଶ୍ଵଭୂଷଣ ମହାପାତ୍ର, ଆଇନଜୀବୀ ନିରଞ୍ଜନ ମହାନ୍ତି, ବିଜୟ ପଣ୍ଡା, ଶ୍ରମିକ ନେତା ମାନସ ପ୍ରଧାନ, ପ୍ରଦୀପ୍ତ ନାୟକ, ଓ ଅନ୍ୟାନ୍ୟ ସଂଗଠନର ନେତୃବୃନ୍ଦ ଉପସ୍ଥିତ ଥିଲେ । ଅନୁରୂପ ଭାବରେ ବ୍ରହ୍ମପୁର, କଟକ, ଭଦ୍ରକ, ବାଲେଶ୍ଵର, ନୟାଗଡ ଓ ଅନ୍ୟାନ୍ୟ ଅଞ୍ଚଳରେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

Leave A Reply

Your email address will not be published.