ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ ।

ଭଞ୍ଜନଗର,୧୩/୧୧(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଭଞ୍ଜନଗର ଗସ୍ତ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ବାଉଁଶଲୁଣ୍ଡି ଅଞ୍ଚଳରେ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘରଗୁଡ଼ିକର ଭଙ୍ଗାଯିବା ଓ ପୁନର୍ବାସ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମିଳିଥିବା ସହାୟତାର ସମ୍ପୂର୍ଣ୍ଣ ଓ ସଠିକ୍ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ପାଇଁ ଗୃହ ନିର୍ମାଣ ସହାୟତା ଅନୁମୋଦନ କରାଯାଇଥିବା ସୂଚନା ଦେଇଥିଲେ । ଜମିହୀନ ପରିବାରଗୁଡ଼ିକୁ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦିଆଯିବ। ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକଙ୍କ ଆଗ୍ରହ ଓ ମତାମତକୁ ଗୁରୁତ୍ୱ ଦେଇ ଏକ ନୂତନ ବସତି ସ୍ଥାପନ ପାଇଁ ଆସନ୍ତା ସପ୍ତାହରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ। ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଜିଲ୍ଲାପାଳ ସ୍ଥାନୀୟ ମହିଳାମାନଙ୍କୁ ଶାଢ଼ୀ ଏବଂ ଶିଶୁମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରିଥିଲେ । ସେ କହିଥିଲେ ଯେ, ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ସର୍ବଦା ଜନସାଧାରଣଙ୍କ ସହିତ ରହିଛି ଏବଂ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଓ ସହଯୋଗୀ ମନୋଭାବ ନେଇ କାର୍ଯ୍ୟ କରୁଛି ।

ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ବିଡିଓ ଭାରତି ଦେବି, ପୌରପାଳିକାର ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା , ବ୍ଲକ୍ ଶିକ୍ଷା ଅଧିକାରୀ ଲୋପା ମୁଦ୍ରା ରଥ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment