ଗିଡିପାବାଲିର ବାସହୀନ ପରିବାରଙ୍କୁ ଘର ନିର୍ମାଣ ସହାୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ ।

ଭଞ୍ଜନଗର,୧୩/୧୧(ପିପିଟି): ମାନବିକତା ଓ ଜନସେବାକୁ ପ୍ରାଥମିକତା ଦେଇ ଘିଡ଼ପବାଲିର ବିପନ୍ନ ପରିବାରଙ୍କ ଥଇଥାନ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ। ଜିଲ୍ଲାପାଳ ପ୍ରଭାବିତ ପ୍ରତ୍ୟେକ ପରିବାରକୁ ଘର ନିର୍ମାଣ ଓ ଆନୁସଙ୍ଗିକ ଆବଶ୍ୟକତା ପାଇଁ ମୋଟ ୧,୮୪,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏହି ରାଶି ମଧ୍ୟରେ ଘର ନିର୍ମାଣ ପାଇଁ ୧,୭୦,୦୦୦ ଟଙ୍କା, ବାସନକୁସନ ପାଇଁ ୫,୦୦୦ ଟଙ୍କା, ପୋଷାକ ପାଇଁ ୫,୦୦୦ ଟଙ୍କା ଏବଂ ଗୁହାଳ ନିର୍ମାଣ ପାଇଁ ୪,୦୦୦ ଟଙ୍କା ଅନ୍ତର୍ଭୁକ୍ତ ରହିଛି ।

ପ୍ରଭାବିତ ୮ଟି ପରିବାର ମଧ୍ୟରୁ ୨ଟି ପରିବାର ବର୍ତ୍ତମାନ ବାଇବେଲି ଗ୍ରାମ ପଞ୍ଚାୟତର ନାରଙ୍ଗିପାଲିଠାରେ ଏବଂ ଅନ୍ୟ ୬ଟି ପରିବାର ଜି. ଉଦୟଗିରି ଏନ୍‌ଏସିର କଲ୍ୟାଣ ମଣ୍ଡପଠାରେ ଆଶ୍ରୟ ନେଇଛନ୍ତି । ଏହି ପରିବାରଗୁଡ଼ିକର ସ୍ଥାୟୀ ଥଇଥାନ ନିମନ୍ତେ ଉଭୟ ସ୍ଥାନରେ ଜମି ଆବଣ୍ଟନ କରାଯିବା ସହ ସେମାନଙ୍କୁ ସରକାରୀ ଗୃହ ନିର୍ମାଣ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି ।

ଏହି ଅବସରରେ ଜିଲ୍ଲାପାଳ ପ୍ରଭାବିତ ପରିବାରର ମହିଳାମାନଙ୍କୁ ଶାଢ଼ୀ ଏବଂ ଶିଶୁମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରିଥିଲେ। ପ୍ରଭାବିତ ପରିବାରଗୁଡ଼ିକର ସମସ୍ୟା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସ୍ଥାୟୀ ଥଇଥାନ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି ।

ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଭଞ୍ଜନଗର ବିଡିଓ, ଅତିରିକ୍ତ ତହସିଲଦାର,ନିର୍ବାହୀ ଅଧିକାରୀ, ବାଲିଗୁଡ଼ା ଉପଜିଲ୍ଲାପାଳ,ଜି. ଉଦୟଗିରି ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ରିପୋର୍ଟ -ଜେ କେ ପଟ୍ଟନାୟକ

Comments (0)
Add Comment