ଛତ୍ରପୁର,୧୩/୧୧(ପିପିଟି): ବିଶ୍ୱ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ -୨୦୨୬ ପାଳନ ଅବସରରେ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଶିବିର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମିତବ୍ୟୟିତାର ଗୁରୁତ୍ୱ, ଅର୍ଥ ସଞ୍ଚୟ ଏବଂ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା ।
ଦୈନନ୍ଦିନ ଜୀବନରେ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରି ସଞ୍ଚୟ ଅଭ୍ୟାସ ଗଢ଼ି ତୋଳିବା ସହିତ ଲୋକମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଥିଲା ।
ବ୍ରହ୍ମପୁର ଡାକ ବିଭାଗର ନୀଳମଣି ଜାନି ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ଯୋଜନା, ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ ।
ସାଇବର କ୍ରାଇମ ର ଇନିସ୍ପେକ୍ଟର ଜ୍ୟୋତି ରଞ୍ଜନ ବେହେରା ଯୋଗ ଦେଇ କହିଥିଲେ ଯେ ଆମେ ଆଜି ଡିଜିଟାଲ ଯୁଗରେ ପାଦ ଥାପିଛେ । ସାଇବର କ୍ରାଇମ ଠାରୁ ଦୂରରେ ରହି କଷ୍ଟାର୍ଜିତ ଧନର ସଦୁପଯୋଗ କରିପାରିଲେ ଆମର ସଞ୍ଚୟ ସାର୍ଥକ ହୋଇପାରିବ ବୋଲି କହିଥିଲେ ।
ଶେଷରେ ସ୍ୱଳ୍ପ ସଞ୍ଚୟର ଉପକାରିତା ଉପରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ,ଅନ୍ୟାନ୍ୟ ଅଧିକାରୀ. କର୍ମଚାରୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗଦେଇଥିଲେ ।