ମାଲକାନଗିରିରେ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ।

ମାଲକାନଗିରି, ୦୨/୧୧(ପିପିଟି): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା, ଉଦ୍ଧାର ଓ ଆଗୁଆ ପ୍ରସ୍ତୁତି କାର୍ଯ୍ୟକୁ ବ୍ୟାପକ କରାଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରୁ ଆଜି ସୁଦ୍ଧା ମୋଟ ୫,୦୭୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ୧୪୯ ଟି ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଛି। ବିଶେଷ କରି ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ୧୦୯ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ମାତୃଯତ୍ନ କେନ୍ଦ୍ର ଓ ହସ୍ପିଟାଲକୁ ସୁରକ୍ଷିତ ଭାବେ ପଠାଯାଇଛି।
ଜରୁରୀକାଳୀନ ପରିସ୍ଥିତିର ମୋକାବିଲା ପାଇଁ କ୍ଷେତ୍ର ସ୍ତରରେ ୧ ଟି ଓଡ଼୍ରାଫ୍ ଟିମ୍, ୧ ଟି ଏନଡିଆରଏଫ୍ ଟିମ୍ ଏବଂ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୯ ଟି ଅଗ୍ନିଶମ ବାହିନୀ ଦଳକୁ ମୁତୟନ କରାଯାଇଛି। ପରିସ୍ଥିତିର ସୀମାନ୍ତ ସମୀକ୍ଷା ଏବଂ ପ୍ରତ୍ୟକ୍ଷ ତଦାରଖ ପାଇଁ କାଲିମେଳା, ମାଥିଲି, ଚିତ୍ରକୋଣ୍ଡା ଓ ମାଲକାନଗିରି ସଦର ଅଞ୍ଚଳରେ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଥିବା ବେଳେ କାଲିମେଳା ଓ ମାଥିଲିରେ ଡେପୁଟି ଓ ଆସିଷ୍ଟାଣ୍ଟ କଲେକ୍ଟରମାନେ ଦାୟିତ୍ୱ ସମ୍ଭାଳିଛନ୍ତି।ଅନ୍ୟପଟେ ଜିଲ୍ଲା କଣ୍ଟ୍ରୋଲ ରୁମ୍‌କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯାଇ ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଜି ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୨.୮୧ ମିଲିମିଟର ସ୍ୱଳ୍ପ ବର୍ଷା ରେକର୍ଡ କରାଯାଇଥିବା ବେଳେ ପବନର ବେଗ ସମ୍ପୂର୍ଣ୍ଣ ସାଧାରଣ ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଭୟଭୀତ ନହୋଇ ସଜାଗ ରହିବାକୁ ଏବଂ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment