ଭୁବନେଶ୍ୱର, ୨୮/୧୦(ପିପିଟି): ଏକାଧିକ ବିବାହ କରିବା ସହ ପତ୍ନୀ ଓ ନାବାଳିକା ଝିଅଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୁଲିସ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଥମ ବିବାହ ସମ୍ପର୍କରେ ତଥ୍ୟ ଲୁଚାଇ ଅନ୍ୟ ତିନିଜଣ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ତୃତୀୟ ପତ୍ନୀ ନିର୍ଯାତନା ସହି ନପାରି ଘର ଛାଡ଼ିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଅଭିଯୋଗକାରିଣୀ ଚତୁର୍ଥ ପତ୍ନୀଙ୍କ କହିବା ଅନୁଯାୟୀ, ବିବାହର ପ୍ରାୟ ଚାରି ବର୍ଷ ପରେ ସେ ସ୍ୱାମୀଙ୍କ ଅନ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଗତ ସେପ୍ଟେମ୍ବର ୩୦ ତାରିଖରେ ଅଭିଯୁକ୍ତ ତାଙ୍କ ଘରେ ପହଞ୍ଚି ଝିଅର ଜନ୍ମଦିନ ପାଳନ କରିବାକୁ ଜିଦ୍ ଧରିଥିଲେ। ଏହାକୁ ବିରୋଧ କରିବାରୁ ସେ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ନାବାଳିକା ଝିଅକୁ ମାଡ଼ ମାରି ଏକ କୋଠରୀରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏଥିସହ ପତ୍ନୀଙ୍କ ଇଚ୍ଛା ବିରୋଧରେ ଅସଦାଚରଣ କରିବା ଏବଂ ପୁଲିସରେ ଅଭିଯୋଗ କଲେ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣାକୁ ନେଇ ମହିଳା ଥାନା ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା। ପରବର୍ତ୍ତୀ ସମୟରେ ଖଣ୍ଡଗିରି ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।