କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ଖାଉଟି ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଗ୍ରାହକଙ୍କ ୪୬ ହଜାର ଟଙ୍କାର ଋଣ ଦାବି ଖାରଜ, ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଏସବିଆଇ କାର୍ଡସ୍‌କୁ ନିର୍ଦ୍ଦେଶ ।

ବ୍ରହ୍ମପୁର,୨୧/୧୧(ପିପିଟି): ସାଇବର ଠକେଇ ଓ କ୍ରେଡିଟ୍ କାର୍ଡ ଜନିତ ଅନାଧିକୃତ କାରବାର ମାମଲାରେ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ (ବ୍ରହ୍ମପୁର) ଗ୍ରାହକଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏସବିଆଇ କାର୍ଡସ୍ ଆଣ୍ଡ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍ (ଗୁରୁଗ୍ରାମ) ପକ୍ଷରୁ ଗ୍ରାହକଙ୍କ ଉପରେ ଲଦାଯାଇଥିବା ୪୬,୦୦୨ ଟଙ୍କାର ବିବାଦୀୟ ବକେୟା ଦାବିକୁ ଆୟୋଗ ସମ୍ପୂର୍ଣ୍ଣ ଖାରଜ କରିବା ସହ ଗ୍ରାହକଙ୍କୁ ୨୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ୫,୦୦୦ ଟଙ୍କା ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀ: ବ୍ରହ୍ମପୁର ଲାଞ୍ଜିପଲ୍ଲୀର ବାସିନ୍ଦା ଏ କେ ମିଶ୍ର ଏସବିଆଇ ଆମ୍ବପୁଆ ଶାଖାରେ ଏକ ସଞ୍ଚୟ ଖାତା ରଖିଥିବା ବେଳେ ବ୍ୟାଙ୍କ ପ୍ରତିନିଧିଙ୍କ ପରାମର୍ଶକ୍ରମେ ଏକ ଏସବିଆଇ କ୍ରେଡିଟ୍ କାର୍ଡ ନେଇଥିଲେ । ସେ ନିଜ କାର୍ଡ ମାଧ୍ୟମରେ କେବଳ ଦୁଇଥର (୧,୨୮୨ ଟଙ୍କା ଏବଂ ୩୯୯ ଟଙ୍କା) କାରବାର କରିଥିଲେ। ମାତ୍ର ୨୦୨୩ ଡିସେମ୍ବର ୧ ତାରିଖରୁ ୨୨ ତାରିଖ ମଧ୍ୟରେ ତାଙ୍କ ଅଜାଣତରେ କାର୍ଡରୁ ୧୦ଟି ପର୍ଯ୍ୟାୟରେ ମୋଟ ୨୨,୨୧୨.୪୬ ଟଙ୍କା ଅନାଧିକୃତ ଭାବେ ଅନଲାଇନରେ କଟିଯାଇଥିଲା ।

ଏନେଇ ଶ୍ରୀ ମିଶ୍ର ତୁରନ୍ତ କଷ୍ଟମର କେୟାରରେ ଅଭିଯୋଗ କରିବା ସହ ବ୍ରହ୍ମପୁର ସାଇବର ଥାନା ଏବଂ ଜାତୀୟ ସାଇବର ହେଲ୍ପଲାଇନ (୧୯୩୦)ରେ ଅଭିଯୋଗ କରିଥିଲେ । ପ୍ରଥମେ କମ୍ପାନୀ ପକ୍ଷରୁ ଅସ୍ଥାୟୀ ଭାବେ ଟଙ୍କା ଫେରସ୍ତ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତାହାକୁ ପୁନଃ ଡେବିଟ୍ କରାଯାଇଥିଲା । ଏପରିକି ଗ୍ରାହକଙ୍କ ନିକଟକୁ ପହଞ୍ଚିନଥିବା ଏକ ନୂଆ ଭର୍ଚୁଆଲ୍ କାର୍ଡ ଜାରି କରାଯାଇ ସୁଧ ଓ ଜରିମାନା ସହ ୪୬,୦୦୨ ଟଙ୍କା ପୈଠ କରିବାକୁ କମ୍ପାନୀ ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲା । ଏଥିରେ ମାନସିକ ନିର୍ଯାତନାର ଶିକାର ହୋଇ ଶ୍ରୀ ମିଶ୍ର ଗଞ୍ଜାମ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଖାଉଟି ଅଭିଯୋଗ ୮୧ ଅଫ ୨୦୨୪ ଦାଖଲ କରିଥିଲେ ।

ଆୟୋଗଙ୍କ ଶୁଣାଣି ଓ ନିର୍ଦ୍ଦେଶ: ଆୟୋଗର ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ ମାମଲାର ବିଚାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ଙ୍କ ଗାଇଡଲାଇନ୍ ଅନୁଯାୟୀ ଅନାଧିକୃତ କାରବାର କ୍ଷେତ୍ରରେ ଗ୍ରାହକଙ୍କ ‘ଶୂନ୍ୟ ଦାୟିତ୍ୱ’ (Zero Liability) ରହିଥିବା ସ୍ପଷ୍ଟ କରିଛନ୍ତି। ନୋଟିସ୍ ସତ୍ତ୍ୱେ ଏସବିଆଇ କାର୍ଡସ୍ କର୍ତ୍ତୃପକ୍ଷ ଆୟୋଗଙ୍କ ନିକଟରେ ହାଜର ନହେବାରୁ ମାମଲାର ଏକତରଫା ଶୁଣାଣି ହୋଇଥିଲା। ଅନ୍ୟପକ୍ଷରେ, ଏସବିଆଇ ଆମ୍ବପୁଆ ଶାଖା ଏକ ଭିନ୍ନ ସଂସ୍ଥା ହୋଇଥିବାରୁ ଏବଂ କ୍ରେଡିଟ୍ କାର୍ଡ ପରିଚାଳନାରେ ଏହାର କୌଣସି ଭୂମିକା ନଥିବାରୁ ଶାଖା ବିରୋଧରେ ଥିବା ଅଭିଯୋଗକୁ ଆୟୋଗ ଖାରଜ କରିଛନ୍ତି ।

ମୁଖ୍ୟ ନିର୍ଦ୍ଦେଶାବଳୀ:
ଗ୍ରାହକଙ୍କ ନାମରେ ଥିବା ସମସ୍ତ ବିବାଦୀୟ କ୍ରେଡିଟ୍ କାର୍ଡ ଖାତାକୁ ସ୍ଥାୟୀ ଭାବେ ବନ୍ଦ କରିବା ସହ ୪୫ ଦିନ ମଧ୍ୟରେ ‘ନୋ ଡ୍ୟୁଜ୍ ସାର୍ଟିଫିକେଟ୍’ (No Dues Certificate) ପ୍ରଦାନ କରିବାକୁ ଏସବିଆଇ କାର୍ଡସ୍ ଆଣ୍ଡ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍ (ଗୁରୁଗ୍ରାମ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରାହକଙ୍କ ସିବିଲ୍ (CIBIL) ଓ ଅନ୍ୟାନ୍ୟ କ୍ରେଡିଟ୍ ବ୍ୟୁରୋ ରେକର୍ଡରୁ ସମସ୍ତ ନକାରାତ୍ମକ ତଥ୍ୟ ହଟାଇ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଏସବିଆଇ କାର୍ଡସ୍ ଆଣ୍ଡ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍ (ଗୁରୁଗ୍ରାମ) ନିର୍ଦ୍ଦେଶ ଦିଆଯାଇଛି ।

ମାନସିକ ନିର୍ଯାତନା ଓ ସେବାରେ ତ୍ରୁଟି ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ୫,୦୦୦ ଟଙ୍କା ମକଦ୍ଦମା ଖର୍ଚ୍ଚ ୪୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଏସବିଆଇ କାର୍ଡସ୍ ଆଣ୍ଡ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍ (ଗୁରୁଗ୍ରାମ) କୁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଧାରିତ ସମୟରେ ଅର୍ଥ ପୈଠ ନକଲେ ୨୦୨୪ ଜୁଲାଇ ୧୦ ତାରିଖରୁ ବାର୍ଷିକ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ଆୟୋଗ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

Comments (0)
Add Comment