ବୋଲଗଡ଼, ୨୧/୧୧ (ପିପିଟି): ପବିତ୍ର ପଞ୍ଚୁକର ପୁଣ୍ୟ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଗହନ ଅରଣ୍ୟ ଘେରା ପାହାଡ଼ ଶୀର୍ଷେ ବିରାଜମାନ ବାବା ପଶ୍ଚିମେଶ୍ୱରଙ୍କ ପବିତ୍ର ପୀଠରେ ୨୭ତମ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଅଛି। ପାଞ୍ଚ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହାଯଜ୍ଞରେ ମନ୍ତ୍ରଧ୍ୱନୀ ଓ ଶଙ୍ଖ-ଘଣ୍ଟାର ଦିବ୍ୟ ନାଦରେ ପୁରା ପାହାଡ଼ ପ୍ରକମ୍ପିତ ହେଉଅଛି। ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପଦଚାରଣାରେ ପୀଠ ପ୍ରାଙ୍ଗଣ ଜନାରଣ୍ୟ ପାଲଟିଛି। ପାହାଡ଼ ଉପରେ ଅବସ୍ଥିତ ହୋଇଥିବାରୁ ଏହି ପୀଠର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ। ନିବିଡ଼ ଅରଣ୍ୟାନୀ ମଧ୍ୟରେ ଏହି ନିର୍ଜନ ପୀଠ ଯେପରି ଭକ୍ତ ମାନଙ୍କ ପାଇଁ ଏକ ଶାନ୍ତିର ଆଶ୍ରମ। ସଂସାରର କର୍ମମୟ ଜୀବନରୁ ମୁକ୍ତି ପାଇଁ ଭକ୍ତମାନେ ଏଠାକୁ ଧାଇଁ ଆସନ୍ତି ଓ ବାବା ପଶ୍ଚିମେଶ୍ୱରଙ୍କ ନିକଟରେ ନିଜ ଦୁଃଖ ନିବେଦନ କରନ୍ତି। ଭକ୍ତଙ୍କ ବିଶ୍ୱାସ, ସ୍ୱୟଂ ପ୍ରଭୁ ପଶ୍ଚିମେଶ୍ୱର ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି। ଏହି ପବିତ୍ର ଯଜ୍ଞ କେବଳ ଗୋଟିଏ ଗାଁର ନୁହେଁ, ଏହା ସମଗ୍ର ଅଞ୍ଚଳର ସାମୂହିକ ଶ୍ରଦ୍ଧାର ପ୍ରତୀକ। ତାଳତୁମ୍ବ, ଅନନ୍ତାପଲ୍ଲୀ, ମୁଗମଣ୍ଡା, ବାରବାଟୀ, ସିମାପଲ୍ଲୀ, ଦେଉଳି, ସାନପଦର, ନୁଆପଲ୍ଲୀ, ନାରାୟଣୀପଡ଼ା ସମେତ ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କ ଆନ୍ତରିକ ସହଯୋଗ ଓ ଅକ୍ଲାନ୍ତ ପରିଶ୍ରମରେ ଏହି ମହାଯଜ୍ଞ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହେଉଅଛି। ମନ୍ଦିରର ନୀତିକାନ୍ତି ଅନୁଯାୟୀ ପ୍ରତ୍ୟହ ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଉଅଛି। ସନ୍ଧ୍ୟା ହେଲେ ଭକ୍ତିମୟ ପରିବେଶ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ କରାଯାଉଛି, ଯାହା ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରୁଛି।
ରିପୋର୍ଟ: ସୁଶାନ୍ତ କୁମାର ପ୍ରଧାନ।