କନ୍ୟା ସନ୍ତାନଙ୍କୁ ସମ୍ମାନ ଦିଅନ୍ତୁ, ବାଲ୍ୟବିବାହ ରୋକନ୍ତୁ: ଆଇଜି ଡ. ସତ୍ୟଜିତ ନାୟକ ।

କଟକ୧୧/୧୦(ପିପିଟି): ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା, ଅଧିକାର ଓ ସମ୍ମାନକୁ ଗୁରୁତ୍ୱ ଦେବା ସହ ବାଲ୍ୟବିବାହ ରୋକିବାକୁ ଆହ୍ୱାନ ଦେଇଛନ୍ତି ଆଇଜିପି ଡ. ସତ୍ୟଜିତ ନାୟକ। ଓଡ଼ିଶା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରି କୁହାଯାଇଛି ଯେ, ପ୍ରତ୍ୟେକ ଶିଶୁକନ୍ୟା ସୁରକ୍ଷିତ ପରିବେଶରେ ବଢ଼ିବା, ଶିକ୍ଷା ଲାଭ କରିବା, ସମ୍ମାନର ସହ ବଞ୍ଚିବା ଏବଂ ଭୟମୁକ୍ତ ଭବିଷ୍ୟତ ଗଢ଼ିବାର ଅଧିକାର ରଖିଛନ୍ତି।

ଡ. ନାୟକ କହିଛନ୍ତି ଯେ, କନ୍ୟା ସନ୍ତାନଙ୍କୁ କେବଳ ପରିବାରର ଦାୟିତ୍ୱ ଭାବେ ନୁହେଁ, ବରଂ ସମାଜର ଅମୂଲ୍ୟ ସମ୍ପଦ ଭାବେ ଦେଖିବା ଆବଶ୍ୟକ। ସେମାନଙ୍କ ଶୈଶବକୁ ସୁରକ୍ଷିତ ରଖିବା, ଉଚିତ ଶିକ୍ଷା ଓ ସମାନ ସୁଯୋଗ ପ୍ରଦାନ କରିବା ସହ ନିଜ ଅଧିକାର ସମ୍ପର୍କରେ ସଚେତନ କରିବା ସମସ୍ତଙ୍କ ଦାୟିତ୍ୱ। ବାଲ୍ୟବିବାହ, କନ୍ୟାଭ୍ରୂଣ ହତ୍ୟା ଓ ଶିଶୁଙ୍କ ଅଧିକାରର ଉଲ୍ଲଂଘନ ଭଳି ସାମାଜିକ ସମସ୍ୟା ବିରୋଧରେ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ଝିଅ ନିରାପଦ ଓ ସମ୍ମାନଜନକ ଜୀବନ ପାଇଲେ ହିଁ ଏକ ସମାନତାଭିତ୍ତିକ ଓ ସଶକ୍ତ ସମାଜ ଗଠନ ସମ୍ଭବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ବାର୍ତ୍ତା ଦିଆଯାଇଛି।

Comments (0)
Add Comment