କଟକ,୧୧/୧୦(ପିପିଟି): ଚାନ୍ଦିମେଢ଼ର ଝଲକ, ମା’ଙ୍କ ମସ୍ତକରେ ସୁନା ମୁକୁଟ ଓ ଦେହରେ ସୁନା-ରୁପାର ଅଳଙ୍କାର। କଟକର ଦୁର୍ଗାପୂଜାର ଏହି ଅପୂର୍ବ ଆକର୍ଷଣ ପଛରେ ରହିଛି ବର୍ଷତମାମ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା। ସହରର ବିଭିନ୍ନ ପୂଜାମଣ୍ଡପରେ ଥିବା ସୁନା ଓ ରୁପାର ମୋଟ ମୂଲ୍ୟ ୨୦୦ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଉଛି। ତେବେ ଏହି ମୂଲ୍ୟବାନ ଅଳଙ୍କାରର ସୁରକ୍ଷା ପାଇଁ ନା ରହିଛି ବ୍ୟାଙ୍କ୍ ଲକର୍ର ବ୍ୟବସ୍ଥା, ନା ବର୍ଷସାରା ପୁଲିସର ପ୍ରହରା। ଆଧୁନିକ ଲକର୍, ସିସିଟିଭି ନଜର, ନିୟମିତ ହିସାବ ଯାଞ୍ଚ ଏବଂ ସର୍ବୋପରି ସାହିଭାଇଙ୍କ ପାରସ୍ପରିକ ବିଶ୍ୱାସ ହିଁ ଏହି ଅମୂଲ୍ୟ ସମ୍ପତ୍ତିର ସୁରକ୍ଷା କବଚ ସାଜିଛି।
କଟକର ଦୁର୍ଗାପୂଜାରେ ଚାନ୍ଦିମେଢ଼ କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ବିଭିନ୍ନ ସାହି, ବଜାର ଓ ପୂଜା କମିଟିର ଗୌରବର ପରିଚୟ। ସହରର ୩୭ଟି ଚାନ୍ଦିମେଢ଼ର ଓଜନ ପ୍ରାୟ ୧୦୦ କ୍ୱିଣ୍ଟାଲରୁ ଅଧିକ ବୋଲି ଆକଳନ କରାଯାଉଛି। ଏହାବ୍ୟତୀତ ଅନ୍ୟ ପୂଜାମଣ୍ଡପଗୁଡ଼ିକରେ ମଧ୍ୟ ବିପୁଳ ପରିମାଣର ରୁପା ସାଜସଜ୍ଜା ରହିଛି। ଦୁର୍ଗାପୂଜା ଓ କାଳୀପୂଜାରେ ମିଶାଇ ପ୍ରାୟ ୧୫୦ କ୍ୱିଣ୍ଟାଲ ରୁପା ବ୍ୟବହୃତ ହେଉଥିବା ଆକଳନ କରାଯାଇଛି। ଚାନ୍ଦିମେଢ଼ ନିର୍ମାଣରେ ନିଜର ସ୍ୱାତନ୍ତ୍ର୍ୟ ଦେଖାଇବା ପାଇଁ ପୂଜା କମିଟିଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ରହିଛି।
କଟକର ଦୁର୍ଗାପୂଜାରେ ସୁନାର ବ୍ୟବହାର ମଧ୍ୟ ଦୀର୍ଘ ବର୍ଷର ପରମ୍ପରାକୁ ନୂଆ ରୂପ ଦେଇଛି। ୧୯୯୩ ମସିହାରେ ଚୌଧୁରୀବଜାର ପୂଜା କମିଟି ମା’ଙ୍କ ପାଇଁ ସାଢ଼େ ତିନି କିଲୋ ଓଜନର ସୁନା ମୁକୁଟ ନିର୍ମାଣ କରିଥିଲା। ଏହାପରେ ମଙ୍ଗଳାବାଗ, ଶେଖବଜାର, ରାଣୀହାଟ, ଚାଉଳିଆଗଞ୍ଜ, ଖାନନଗର ଓ କାଠଗଡ଼ାସାହି ସମେତ ଅନେକ ପୂଜାମଣ୍ଡପରେ ସୁନା ମୁକୁଟ ଓ ଅଳଙ୍କାର ଶୋଭା ପାଇଛି। ମା’ଙ୍କ ହାର, ଅନ୍ୟାନ୍ୟ ସୁନା ଅଳଙ୍କାର ଏବଂ ପାର୍ଶ୍ୱ ଦେବଦେବୀଙ୍କ ମୁକୁଟ ମଧ୍ୟ ଏହି ପରମ୍ପରାର ଅଂଶ। ସୁନାର ମୋଟ ପରିମାଣ ୧୦୦ କିଲୋଗ୍ରାମରୁ ଅଧିକ ବୋଲି ଆକଳନ କରାଯାଉଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା। ରୁପାର ମୂଲ୍ୟକୁ ମିଶାଇଲେ ମୋଟ ସମ୍ପତ୍ତିର ମୂଲ୍ୟ ୨୦୦ କୋଟି ଟଙ୍କା ଟପିଯାଉଛି।
ଏତେ ବିପୁଳ ମୂଲ୍ୟର ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ପୂଜା କମିଟିଗୁଡ଼ିକ ନିଜସ୍ୱ ଷ୍ଟ୍ରଙ୍ଗ୍ରୁମ୍ ଓ ଆଧୁନିକ ଲକର୍ ବ୍ୟବସ୍ଥା କରିଛନ୍ତି। ଲକର୍ର ଚାବି ଓ କୋଡ୍ ନମ୍ବର ନିର୍ଦ୍ଦିଷ୍ଟ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା କିମ୍ବା ହିସାବରକ୍ଷକଙ୍କ ପାଖରେ ରହିଥାଏ। ଦଶହରାର ପ୍ରାୟ ଏକ ମାସ ପୂର୍ବରୁ ଅଳଙ୍କାର ସଫା କରିବା ପାଇଁ ଲକର୍ ଖୋଲାଯାଏ। ଏଥିପୂର୍ବରୁ ସାହିଭାଇଙ୍କୁ ସୂଚନା ଦିଆଯାଇ ନିର୍ଦ୍ଧାରିତ ଦିନରେ ସେମାନଙ୍କ ଉପସ୍ଥିତିରେ ଅଳଙ୍କାର ବାହାର କରାଯାଏ। ପୂଜା କମିଟିର ରେକର୍ଡ ଅନୁଯାୟୀ ପ୍ରତ୍ୟେକ ଅଳଙ୍କାରର ଓଜନ ଓ ସଂଖ୍ୟା ଯାଞ୍ଚ କରାଯିବା ପରେ ସଫା କାର୍ଯ୍ୟ ଆରମ୍ଭ ହୁଏ। ପ୍ରାୟ ୧୫ ଦିନ ଧରି ଚାଲୁଥିବା ଏହି ପ୍ରକ୍ରିୟାରେ କମିଟିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରନ୍ତି।
ଦୁର୍ଗାପୂଜା ଓ କାଳୀପୂଜା ଶେଷ ହେବା ପରେ ଅଳଙ୍କାରଗୁଡ଼ିକର ପୁନର୍ବାର ଯାଞ୍ଚ କରାଯାଏ। ସାହିଭାଇଙ୍କ ଉପସ୍ଥିତିରେ ରେକର୍ଡ ସହ ଓଜନ ମେଳ କରାଯାଇ ସବୁ ଠିକ୍ ଥିବା ସୁନିଶ୍ଚିତ ହେବା ପରେ ଅଳଙ୍କାରଗୁଡ଼ିକୁ ଲକର୍ରେ ରଖାଯାଏ। ଷ୍ଟ୍ରଙ୍ଗ୍ରୁମ୍ ଉପରେ ବର୍ଷସାରା ସିସିଟିଭି ନଜର ମଧ୍ୟ ରହିଥାଏ। ଏହି ବ୍ୟବସ୍ଥାରେ ସୁରକ୍ଷା ସହ ସ୍ୱଚ୍ଛତା ଓ ସାମୂହିକ ଦାୟିତ୍ୱକୁ ଗୁରୁତ୍ୱ ଦିଆଯାଏ। କଟକର ଏହି ପରମ୍ପରା ପ୍ରମାଣ କରେ ଯେ, ଆଧୁନିକ ସୁରକ୍ଷା ବ୍ୟବସ୍ଥା ସହ ସାମାଜିକ ଏକତା ଓ ପାରସ୍ପରିକ ବିଶ୍ୱାସର ସମନ୍ୱୟ ହିଁ ଶହ ଶହ କୋଟି ଟଙ୍କାର ଐତିହ୍ୟକୁ ସୁରକ୍ଷିତ ରଖିବାରେ ସହାୟକ ହେଉଛି।