ସମ୍ମାନ ପାଇଁ ଜୀବନ।

ବୋଲଗଡ଼,୧୬/୦୮(ପିପିଟି):ବର୍ତ୍ତମାନ ସମାଜରେ ଆମେ ମଣିଷକୁ ତାଙ୍କ ପଦବୀ, ପୋଷାକ ଓ ବ୍ୟାଙ୍କ୍ ବାଲାନ୍ସ ଦେଖି ବିଚାର କରୁଛୁ। ଧନି ହେଲେ ମାନ୍ୟତା, ଗରିବ ହେଲେ ଅବହେଳା। ଅଫିସର ହେଲେ ସଲାମ୍, କୃଷକ ହେଲେ ଉପେକ୍ଷା। ଏଇ ଦ୍ୱିମୁଖୀ ମାନସିକତା ବଦଳାଇବା ପାଇଁ ସଚେତନତା ଆବଶ୍ୟକ। ଯିଏ ଆମକୁ ଖାଦ୍ୟ ଦିଏ ସେଇ କୃଷକକୁ ଆମେ “ଅଶିକ୍ଷିତ” କହି ଛୋଟ କରୁ। ଯିଏ ସହର ସଫା ରଖେ ସେଇ ସଫେଇ କର୍ମଚାରୀଙ୍କୁ ଘୃଣା କରୁ। ଯିଏ ସତ କଥା ଲେଖେ ସେଇ ସାମ୍ବାଦିକଙ୍କ ଉପରେ ଚାପ ପକାଉ। କିନ୍ତୁ ଉଚ୍ଚ ପଦସ୍ଥ ଅଧିକାରୀ ଭୁଲ କଲେ ବି ଆମେ ଚୁପ୍ ରହୁ। ଏଇ ବୈଷମ୍ୟ ଯୋଗୁଁ ସମାଜରେ ବିଦ୍ୱେଷ ବଢୁଛି।ସମ୍ମାନର ମାପଦଣ୍ଡ ଟଙ୍କା ନୁହେଁ, ମଣିଷତ୍ୱ। ଧନି ହେଉ, ଗରିବ ହେଉ, ଉଚ୍ଚ ପଦସ୍ଥ ଅଧିକାରୀ ହେଉ, କୃଷକ ହେଉ, ସାମ୍ବାଦିକ ହେଉ କିମ୍ବା ସାଧାରଣ ବ୍ୟକ୍ତି ହେଉ – ସମସ୍ତଙ୍କୁ ସମାନ ସମ୍ମାନ ଦେବା ହେଉଛି ଆମର ଦାୟିତ୍ୱ।ଏଇ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ କିଛି ସ୍ଥାନୀୟ ଯୁବ ସଚେତନ ନାଗରିକ ଆଗେଇ ଆସିଛନ୍ତି। ସେମାନେ କୁହନ୍ତି, “ଆମେ ସ୍କୁଲ, କଲେଜ ଓ ଗାଁରେ ସଭା କରୁଛୁ। ପିଲାଙ୍କୁ ଶିଖାଉଛୁ – ଯିଏ ତୁମକୁ ଶିକ୍ଷା ଦିଏ, ଖାଦ୍ୟ ଦିଏ, ସୁରକ୍ଷା ଦିଏ, ତାଙ୍କୁ ସମ୍ମାନ ଦିଅ। ନିଜ ଘରେ କାମ କରୁଥିବା ସହାୟକ, ଟ୍ରାଫିକ୍ ପୋଲିସ୍, ସଫେଇ କର୍ମୀଙ୍କୁ ଧନ୍ୟବାଦ କୁହନ୍ତୁ। ସୋସିଆଲ୍ ମିଡିଆରେ କାହାକୁ ଟ୍ରୋଲ୍ ନ କରନ୍ତୁ।”ସେମାନେ ଆହୁରି କହିଲେ, “ଟଙ୍କା ଆସିବ ଯିବ, ପଦବୀ ଆସିବ ଯିବ। କିନ୍ତୁ ସମ୍ମାନ ଥରେ ଗଲେ ଫେରିଆସେ ନାହିଁ। ତେଣୁ ଆସନ୍ତୁ ସମସ୍ତେ ଶପଥ ନେବା ମୁଁ ସମ୍ମାନ ଦେବି, ସମ୍ମାନ ନେବି`। କାମ ଅଲଗା ହୋଇପାରେ, ସମ୍ମାନ ସମାନ।”

ରିପୋର୍ଟ -ସୁଶାନ୍ତ କୁମାର  ପ୍ରଧାନ

Comments (0)
Add Comment