ପୋଲସରା,୧୫/୦୪ (ପିପିଟି) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଆଠ ଦିବସୀୟ ଆତ୍ମ ପ୍ରତିରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଏନସିସି ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟଅତିଥି ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହର୍ଷବାବୁ ଖାଡ଼ଙ୍ଗା ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍ଘାଟନ କରିଥିବାବେଳେ ନିକଟରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକ ଏବଂ ଦର୍ଶନ ଶାସ୍ତ୍ର ବିଭାଗ ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ମୁଖ୍ୟବକ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ନିଜର ପ୍ରେରଣାଦାୟୀ ଅଭିଭାଷଣରେ ଉପସ୍ଥିତ ଛାତ୍ରୀମାନଙ୍କୁ ବିଶେଷକରି ନାରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ସ୍ତରରୁ କେବଳ ଛାତ୍ରୀମାନଙ୍କୁ ପ୍ରତିବର୍ଷ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ କରାଯାଉଅଛି। ଉଦ୍ଦେଶ୍ୟ ତାଲିମପ୍ରାପ୍ତ ବାଳିକାମାନେ ନିଜକୁ ସୁରକ୍ଷା କରିବା ସହିତ ଆବଶ୍ୟକ ସ୍ଥଳେ ଅନ୍ୟକୁ ସୁରକ୍ଷା ଦେଇପାରିବେ, ଯଦ୍ୱାରା ନିଜର ଜୀବନ କାଳ ମଧ୍ୟରେ ଆତ୍ମସମ୍ମାନ ଏବଂ ସ୍ଵାଭିମାନ ସହିତ ବଞ୍ଚିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ।ମୁଖ୍ୟବକ୍ତା ନିଜ ସଂକ୍ଷିପ୍ତ ଅଭିଭାଷଣରେ ସମାଜରେ ନାରୀ ଦୁର୍ବଳ ନୁହେଁ, “ନାରୀର ବିଭିନ୍ନ ରୂପ ଅଛି। ନାରୀଯେ ଅବଳା ନୁହେଁ, ସେ ସବଳା ଅଟେ। ସେ ସମାଜର ପ୍ରଥମ ଅଟେ।” ଏଣୁ ବର୍ତ୍ତମାନ ଆରମ୍ଭ ହୋଇଥିବା ତାଲିମ ଶିବିରରେ ଉପଯୁକ୍ତ ତାଲିମ ନେଇ ନିଜକୁ ସୁରକ୍ଷା କରିବା ସହିତ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ମହୋଦୟ ନିଜର ସାରଗର୍ଭ ଅଭିଭାଷଣରେ କେତେ ପ୍ରକାର ସୁରକ୍ଷା ରହିଛି ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଏହି ଆଠ ଦିବସୀୟ ତାଲିମ ଶିବିରରେ ତାଲିମ ନେବାକୁ ଥିବା ଯୁକ୍ତ ତିନି ପ୍ରଥମ ବର୍ଷର ବାଳିକାମାନଙ୍କ ସଫଳତା କାମନା କରିଥିଲେ।ପରେ ଉଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ଵାଇଁ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ଵାଗତ କରିବା ସହିତ ତାଲିମ ନେବାକୁ ଥିବା ଛାତ୍ରୀମାନଙ୍କ ସଫଳତା କାମନା ଏବଂ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ। ଶେଷରେ ଲେଫ୍ଟନାଣ୍ଟ ବିନତା ଦାସ ଉପସ୍ଥିତି ଛାତ୍ରୀମାନଙ୍କୁ ତାଲିମ ଦିବସର ଉଦ୍ଦେଶ୍ୟ ଓ ସମୟ ଉପରେ ବୁଝାଇବା ସହିତ ଉପସ୍ଥିତ ସମସ୍ତ ଅତିଥି ଏବଂ ଅନ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଶିବିରଟି ଚଳିତ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଯୁକ୍ତ ୩ କଳା ପ୍ରଥମ ବର୍ଷ ଛାତ୍ରୀ ରେମସା ପ୍ରଧାନ ଓ ବିଜ୍ଞାନ ଛାତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି ଦୁଇଜଣ ତାଲିମ ଦେବେ। କାର୍ଯ୍ଯକ୍ରମ ଶେଷରେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଜନ ଗଣ ମନ ସଙ୍ଗୀତ ଗାନ କରାଯାଇ ସଭା ସମାପ୍ତ ହୋଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା