୭୮ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉଦଯାପିତ ।

ଭୁବନେଶ୍ୱର ,୧୫/୦୪(ପିପିଟି):୭୮ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଆଜି ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଉଦଯାପିତ ହୋଇଯାଇଛି । ଆଜି ଦ୍ଵିତୀୟ ତଥା ଉଦଯାପନୀ ଦିବସ ସନ୍ଧ୍ୟାରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ମନୋରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ ସହର ଏବଂ ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ସେ ସମସ୍ତ ନାଗରିକଙ୍କ ସହଯୋଗ କାମନା କରିଥିଲେ । ଏଥି ସହିତ ରାଜଧାନୀକୁ ଏକ ବିକଶିତ ତଥା ଉନ୍ନତ ସହର ଭାବେ ଗଢି ତୋଳିବାକୁ ସେ ସମସ୍ତଙ୍କର ସମ୍ମିଳିତ ପ୍ରଚେଷ୍ଟା କାମନା କରିଥିଲେ ।
ଉଦଯାପନୀ ସଂଧ୍ୟାରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପ ସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମ ଆନୁକୂଲ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଆୟୋଜନ ଓ ସମସ୍ତ ସହଯୋଗକୁ ପ୍ରଶଂସା କରିଥିଲେ । ଏଥି ସହିତ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଦି ସମ୍ପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥା ମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ମିଡିଆ ଫେଡେରେସନର ଉପଦେଷ୍ଟା  ଗୌରଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ମଳୟ କୁମାର ବେହେରା, ଶୁଭଙ୍କର କୁମାର ଏବଂ ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଆଜିର ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଗଞ୍ଜାମର ପଶୁ ମୁଖା ନୃତ୍ୟ, ମୟୁରଭଞ୍ଜ, କରଞ୍ଜିଆର ପଲ୍ଲବୀ ନାଟ୍ୟ ସଂସ୍ଥା ପକ୍ଷରୁ ମାଲଖମ୍ବ, ସୁବାସ ଦାସ ଏବଂ ସାଥିଙ୍କ ଦ୍ୱାରା ଭଜନ, ଲଘୁ ସଂଗୀତ ପରିବେଷଣ କରାଯାଇଥିବା ବେଳେ ବାସୁଦେବ ନାଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Comments (0)
Add Comment