ସ୍ୱାମୀ ଦେହରେ ସ୍ତ୍ରୀ ନିଆଁ ଲଗେଇବା ଘଟଣା; କଟକରେ ବୃଦ୍ଧଙ୍କ ମୃତ୍ୟୁ ।

ଭଞ୍ଜନଗର,୦୫/୦୪(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ କଳହ କୁନେଇ ସ୍ତ୍ରୀ ନିଜ ସ୍ୱାମୀ ଦେହରେ ନିଆଁ ଲଗେଇ ଦେଇଥିବା ଘଟଣାରେ ଗୁରୁତର ଥିବା ସ୍ୱାମୀ ପ୍ରଫୁଲ କୁମାର ସାବତ(୭୩) ଙ୍କର ଆଜି ସକାଳେ କଟକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।ପୂର୍ବରୁ ପ୍ରଫୁଲ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ।ପ୍ରଥମ ପତ୍ନୀର ମୃତ୍ୟୁ ହେବା ପରେ ପ୍ରଫୁଲ ୧୯୯୪ ମସିହାରେ ଆସିକା ଥାନା ଅନ୍ତର୍ଗତ ଗୁଣ୍ଠ ପଡ଼ାର ପ୍ରମିତା ସାବତଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ପ୍ରଫୁଲ ଚାକିରୀରୁ ଅବସର ଗ୍ରହଣ କରିବା ପରେ ତାଙ୍କର କୁଲାଡ଼ ମୁଖ୍ୟ ରାସ୍ତାରେ ଥିବା ଘରେ ଦ୍ଵିତୀୟ ପତ୍ନୀ ପ୍ରମିତା ଓ ପୁଅ ସହ ରହି ଆସୁଥିଲେ। ପ୍ରଫୁଲ ମୃତ ପ୍ରଥମ ପତ୍ନୀର ପିଲାଙ୍କୁ ଟଙ୍କା ପଇସା ଦେଇ ସବୁବେଳେ ସାହାଯ୍ୟ କରିଆସୁଛନ୍ତି ଭାବି ଦ୍ଵିତୀୟ ପତ୍ନୀ ପ୍ରମିତା ଅଧିକାଂଶ ସମୟରେ ପ୍ରଫୁଲଙ୍କ ସହ ପାଟିତୁଣ୍ଡ କରନ୍ତି। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ ଝଗଡ଼ା ସୋମବାର ରାତିରେ ଉଗ୍ରରୂପ ଧାରଣ କରିଥିଲା।ମଙ୍ଗଳବାର ସକାଳ ୯ଟା ସମୟରେ ପ୍ରଫୁଲ ବାଡ଼ି ପଟେ ବସି ଦାନ୍ତ ଘଷୁଥିବା ବେଳେ ହାଠାତ୍ ପ୍ରମିତା ଆସି ପ୍ରଫୁଲ ଦେହରେ କିରୋସିନୀ ଢ଼ାଳି ନିଆଁ ଲଗାଇ ଦେଇଥିଲେ।ପ୍ରଫୁଲଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ତାଙ୍କ ଶରୀରର ପ୍ରାୟ ୫୦ଭାଗ ଅଂଶ ପୋଡ଼ି ଯାଇଥିବାରୁ ଏଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ପ୍ରଫୁଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୁଣି କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଆଜି ସକାଳ ୧୦ଟା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁରୀ ସ୍ୱର୍ଗଦ୍ୱାର ଠାରେ ମୃତ ପ୍ରଫୁଲଙ୍କର ଅନ୍ତିମ ସତ୍କାର କରାଯାଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଭଞ୍ଜନଗର ଆଇଆଇସି ଧୀରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Comments (0)
Add Comment