ସ୍ୱାଭିମାନ ଅଞ୍ଚଳରେ ଆଇଟିଡିଏ ପକ୍ଷରୁ ବୃହତ୍ତ ଜାଫ୍ରା ଚାଷ ଶୁଭାରମ୍ଭ ।

ମାଲକାନଗିରି, ୦୭/୦୭(ପିଟିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶକ୍ରମେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ପଦକ୍ଷେପ କ୍ରମେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ସେତୁ ଯୋଜନା ଅଧୀନରେ ଏକ ବୃହତ ଜାଫ୍ରା ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗୁଣ୍ଠାୱାଡା ପଞ୍ଚାୟତର ଘାଟୁକୋଣ୍ଡା, ପପୁଲୁର ପଞ୍ଚାୟତର ସାଦେରି ଏବଂ କୁର୍ମାନୁର ପଞ୍ଚାୟତର ଆଲୁରକୋଟା ଗ୍ରାମରେ ଏହି କାର୍ଯ୍ୟକ୍ରମ ଏକ ସମୟରେ ଆରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୧,୦୦୦ ହେକ୍ଟର ଜମିରେ ୮ ଲକ୍ଷ ଜାଫ୍ରା ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୧,୫୦୦ ଅନୁସୂଚିତ ଜନଜାତି ପରିବାର ଉପକୃତ ହେବେ। ବିଶେଷ କରି କୋଣ୍ଡା ରେଡ୍ଡି, ପରଜା, କନ୍ଧ, ଗଦବା, କୋଟିଆ ଓ ଦିଦାୟୀ ଭଳି ଆଦିବାସୀ ସମ୍ପ୍ରଦାୟଙ୍କୁ ଏହା ଆଗାମୀ ଦିନରେ ଏକ ସ୍ଥାୟୀ ଜୀବିକାର ସୁଯୋଗ ଯୋଗାଇଦେବ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାଫ୍ରା ମଞ୍ଜି ସଂଗ୍ରହ ଓ ବଜାରରେ ଏହାର ବିକ୍ରି ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି ସୁଧାରିବା ସହ ପରିବେଶର ସନ୍ତୁଳନ ରକ୍ଷା କରିବା ଏବଂ ସବୁଜିମା ବୃଦ୍ଧି କରିବା। ଏହା ସହିତ ଏହି ଜାଫ୍ରା ଚାଷ ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାରେ ଜିଲ୍ଲା ପ୍ରଶାସନକୁ ବଡ଼ ସହାୟତା କରିବ। ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ଆଦିବାସୀ ସମ୍ପ୍ରଦାୟ ବେଆଇନ ଗଞ୍ଜେଇ ଚାଷ ଛାଡି ଏହି ସ୍ଥାୟୀ ଚାଷକୁ ଆପଣେଇବା ପାଇଁ ସ୍ୱେଚ୍ଛାକୃତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଭିଯାନକୁ ସଫଳ କରି ସ୍ୱାଭିମାନ ଅଞ୍ଚଳର ବିକାଶ ଧାରାକୁ ଆଗକୁ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇଟିଡିଏ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅପିଲ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment