ସୁନା ଦରରେ ୭%ରୁ ଅଧିକ ହ୍ରାସ, ଧନତେରସ ପୂର୍ବରୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ।

ଭୁବନେଶ୍ୱର,୦୩/୧୧(ପିପିଟି):ସୁନା ଦରରେ ହ୍ରାସ ଅଳଙ୍କାର ବଜାରକୁ ପୁଣି ଚଳଚଞ୍ଚଳ କରିଛି। ଗତ ଏକ ମାସ ମଧ୍ୟରେ ସୁନା ମୂଲ୍ୟ ୭ ପ୍ରତିଶତରୁ ଅଧିକ କମିଥିବାରୁ ଗ୍ରାହକଙ୍କ ମଧ୍ୟରେ କିଣାକିଣି ପ୍ରତି ଆଗ୍ରହ ବଢ଼ିଛି। ଦୀର୍ଘଦିନ ଧରି ଆକାଶଛୁଆଁ ଦର ଯୋଗୁଁ ସୁନା କିଣିବାକୁ ପଛଘୁଞ୍ଚା ଦେଉଥିବା ଲୋକେ ଏବେ ଧନତେରସ ପୂର୍ବରୁ ଗହଣା ଦୋକାନମୁହାଁ ହୋଇଛନ୍ତି। ବଜାର ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ଧନତେରସରେ ସୁନା ବିକ୍ରି ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇପାରେ। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା ମଧ୍ୟ ଏଭଳି ଆଶା ପ୍ରକାଶ କରିଛନ୍ତି। ଧନତେରସରେ ସୁନା କିଣିବା ଶୁଭ ବୋଲି ପାରମ୍ପରିକ ମାନ୍ୟତା ରହିଥିବାରୁ ଏହି ସମୟରେ ଗହଣା ବଜାରରେ ସ୍ୱାଭାବିକ ଭାବେ ଚାହିଦା ବଢ଼ିଥାଏ। ଏଥର ପାର୍ବଣ କିଣାକିଣି ସହ ଆଗାମୀ ବିବାହ ଋତୁକୁ ଦୃଷ୍ଟିରେ ରଖି ଅନେକ ଗ୍ରାହକ ଗହଣା ପାଇଁ ଆଗୁଆ ବୁକିଂ ମଧ୍ୟ କରୁଛନ୍ତି। ସୁନା ଦର ଅଧିକ ଥିବା ସମୟରେ କିଣାକିଣି ସ୍ଥଗିତ ରଖିଥିବା ପରିବାରଗୁଡ଼ିକ ଏବେ ଦର ହ୍ରାସ ପରେ ପୁଣି ବଜାରକୁ ଫେରିଛନ୍ତି। ସୁନା ଗହଣା ସହ ରୂପା ମୁଦ୍ରାର ବିକ୍ରିରେ ମଧ୍ୟ ବୃଦ୍ଧି ଦେଖାଦେଇଛି।
ଦର କମିବା ଫଳରେ ଗ୍ରାହକମାନେ ନିଜ ବଜେଟ୍ ମଧ୍ୟରେ ଅଧିକ ଓଜନର କିମ୍ବା ଆକର୍ଷଣୀୟ ଡିଜାଇନ୍ର ଗହଣା କିଣିବାର ସୁଯୋଗ ପାଉଛନ୍ତି। ତେବେ ସୁନା ମୂଲ୍ୟ ଏବେ ବି ଅଧିକ ରହିଥିବାରୁ ଅନେକ ଗ୍ରାହକ ହାଲୁକା ଗହଣା ଓ କମ୍ କ୍ୟାରେଟ୍ର ସୁନାକୁ ପସନ୍ଦ କରୁଛନ୍ତି। ବିଶେଷକରି ୧୮ କ୍ୟାରେଟ୍ ଅଳଙ୍କାରର ଚାହିଦା ବଢ଼ୁଛି। ତୁଳନାତ୍ମକ ଭାବେ କମ୍ ମୂଲ୍ୟରେ ଆକର୍ଷଣୀୟ ଡିଜାଇନ୍ର ଗହଣା ପାଇବାର ସୁଯୋଗ ଥିବାରୁ ଏହା ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଚଳିତ ପାର୍ବଣ ଋତୁରେ କିଣାକିଣି ପସନ୍ଦରେ ମଧ୍ୟ ପରିବର୍ତ୍ତନ ଆସିଛି। କ୍ୟାରାଟଲେନ୍ର ସହ-ପ୍ରତିଷ୍ଠାତା ଗୁରୁକୀର୍ତି ଗୁରୁନାଥନଙ୍କ ମତରେ, ଗ୍ରାହକମାନେ ଏବେ ଗହଣାରେ ବ୍ୟବହୃତ ସୁନାର ପରିମାଣ କିମ୍ବା ମୂଲ୍ୟ ଅପେକ୍ଷା ଡିଜାଇନ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦୈନନ୍ଦିନ ବ୍ୟବହାର ଉପଯୋଗୀ ହାଲୁକା ହୀରା ଗହଣା, ଷ୍ଟଡେଡ୍ ଜୁଏଲାରୀ ଓ ସଲିଟାୟାର୍ର ଚାହିଦା ମଧ୍ୟ ବଢ଼ିଛି। ସୁନା ଦର ହ୍ରାସ ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ଦେବା ସହ ଅଳଙ୍କାର ବ୍ୟବସାୟରେ ନୂଆ ଉତ୍ସାହ ଭରିଛି। ଚଳିତ ଧନତେରସରେ ଭଲ ବ୍ୟବସାୟ ହେବ ବୋଲି ଗହଣା ବ୍ୟବସାୟୀମାନେ ଆଶାବାଦୀ ଅଛନ୍ତି।

Comments (0)
Add Comment