ଭୁବନେଶ୍ୱର,୦୩/୧୧(ପିପିଟି): ଓଡ଼ିଶାରେ ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପ୍ରିଲ ମାସରେ ପଞ୍ଚାୟତ ନିର୍ବାଚନ ଏବଂ ମେ’ ମାସରେ ପୌର ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଏଥିପାଇଁ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଫେବ୍ରୁଆରୀ ୧୫ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଆୟୋଗ ପ୍ରସ୍ତୁତି ଚଳାଇଛି। ନିର୍ବାଚନ ପୂର୍ବରୁ ସ୍ୱଚ୍ଛ, ନିର୍ଭୁଲ ଓ ସୁସଂଗଠିତ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ ଅଭିଯାନ ଚାଲିଛି। ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ସ୍ୱତନ୍ତ୍ର ସର୍ଭେ କରାଯାଉଥିବା ବେଳେ ଏହାର ଏସ୍ଆଇଆର୍ (ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍) ସହ କୌଣସି ସମ୍ପର୍କ ନଥିବା କମିଶନର ସ୍ପଷ୍ଟ କରିଛନ୍ତି।
ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟର ଯେପରି ଗୋଟିଏ ମତଦାନ କେନ୍ଦ୍ରରେ ଭୋଟ୍ ଦେଇପାରିବେ, ତାହା ସୁନିଶ୍ଚିତ କରିବା। ବର୍ତ୍ତମାନ ଅନେକ ସ୍ଥାନରେ ଗୋଟିଏ ପରିବାରର ସଦସ୍ୟମାନଙ୍କ ନାମ ଭିନ୍ନ ଭିନ୍ନ ବୁଥ୍ରେ ରହୁଥିବାରୁ ମତଦାନ ସମୟରେ ସେମାନେ ଅସୁବିଧାରେ ପଡ଼ୁଛନ୍ତି। ଏହି ସମସ୍ୟା ଚିହ୍ନଟ କରି ତାହାର ସମାଧାନ କରିବାକୁ ସର୍ଭେ ମାଧ୍ୟମରେ ପଦକ୍ଷେପ ନିଆଯାଉଛି। ଗ୍ରାମାଞ୍ଚଳରେ ସର୍ଭେ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ସହରାଞ୍ଚଳ, ବିଶେଷକରି ଆପାର୍ଟମେଣ୍ଟଗୁଡ଼ିକରେ ଭୋଟରଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାରେ ସମସ୍ୟା ହେଉଛି। କେତେକ ସ୍ଥାନରେ ଭୋଟରମାନେ ସର୍ଭେ ଟିମ୍କୁ ଆବଶ୍ୟକ ସହଯୋଗ କରୁନଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ଉଦ୍ବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଓ ବନ୍ୟା ଜନିତ ପରିସ୍ଥିତି ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସର୍ଭେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ସମୟ ମଧ୍ୟରେ ସର୍ଭେ ଶେଷ କରିବାରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଭୋଟର ସର୍ଭେ ଅଭିଯାନର ସମୟସୀମା ଦୁଇ ସପ୍ତାହ ବୃଦ୍ଧି କରାଯାଇଛି। ଏଠାରେ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସର୍ଭେ ଚାଲିବ। ସେହିପରି ଗଜପତି ଓ କନ୍ଧମାଳ ଜିଲ୍ଲାରେ ସର୍ଭେ ଅବଧି ଗୋଟିଏ ସପ୍ତାହ ବଢ଼ାଯାଇ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସର୍ଭେ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରକୁ ଏହାର ପରିସରଭୁକ୍ତ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଏବେ ଆୟୋଗର ପ୍ରମୁଖ ପ୍ରାଥମିକତା ପାଲଟିଛି।