ବନ୍ୟା ମୁକାବିଲାରେ ସରକାର ବିଫଳ: ପିସିସି ଅନୁଧ୍ୟାନ ଟିମ୍, ବନ୍ୟାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦାବି ।

ଚିକିଟି, ୦୩/୧୧(ପିପିଟି ): ଗଞ୍ଜାମ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅନୁଧ୍ୟାନ ଟିମ୍। ବନ୍ୟାଞ୍ଚଳ ପରିଦର୍ଶନ ପରେ କ୍ଷୟକ୍ଷତିର ସଠିକ୍ ଆକଳନ ସହ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ବନ୍ୟାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦଳ ଦାବି କରିଛି।

ଗତ ତିନିଦିନ ଧରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, କବିସୂର୍ଯ୍ୟନଗର, ଦିଗପହଣ୍ଡି, ହିଞ୍ଜିଳିକାଟୁ ଓ ଚିକିଟି ସମେତ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ସୋମବାର ବ୍ରହ୍ମପୁରସ୍ଥିତ ଡିସିସି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିମ୍ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା।

ପିସିସି ଅନୁଧ୍ୟାନ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଥିଲେ, ବନ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍ ବଣ୍ଟନରେ ସରକାରଙ୍କ କାର୍ଯ୍ୟ ନୈରାଶ୍ୟଜନକ। ତୁରନ୍ତ କ୍ଷୟକ୍ଷତି ଆକଳନ କରିବା ସହ ସର୍ବଦଳୀୟ ବୈଠକ ଡାକି ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସହଯୋଗ ନେବାକୁ ସେ ଦାବି କରିଥିଲେ।

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଥିଲେ, ଅନେକ ବନ୍ୟାଞ୍ଚଳରେ ଘର ଭିତରେ ୪ରୁ ୫ ଫୁଟ୍ ପାଣି ପଶିଥିବା ବେଳେ ଆସିକା ଓ ଭଞ୍ଜନଗରର ବିଭିନ୍ନ ବସ୍ତି ଜଳମଗ୍ନ ହୋଇଛି। ଏହାଦ୍ୱାରା ଦୁର୍ଗନ୍ଧ ଓ ପରିମଳ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ବ୍ଲିଚିଂ ପାଉଡର୍ ପକାଇବା ଭଳି ମୌଳିକ ପଦକ୍ଷେପ ନିଆଯାଇନାହିଁ। ବନ୍ୟାରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦେବାକୁ ସେ ଦାବି କରିଥିଲେ।

ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ବନ୍ୟାଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଭାବିତଙ୍କ ସହାୟତା କାର୍ଯ୍ୟରେ କଂଗ୍ରେସକୁ ମଧ୍ୟ ସାମିଲ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ।
ଡିସିସି ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ କହିଥିଲେ, ରମ୍ଭା, ବଡ଼ମାଧବପୁର, ଚିକିଟି, ରସୁଲପୁର ଓ ବଡ଼ଡୁମୁଡ଼ା ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତଙ୍କ ସ୍ଥିତି ଅନୁଧ୍ୟାନ କରାଯାଇଛି। ବନ୍ୟାର ପାଞ୍ଚଦିନ ପରେ ମଧ୍ୟ ରିଲିଫ୍ ବଣ୍ଟନରେ ବିଳମ୍ବ ହେଉଥିବା ସେ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ପିସିସି ସଭାପତି ଭକ୍ତଚରଣ ଦାସ ଗଞ୍ଜାମ ଆସି ରାହୁଲ ଗାନ୍ଧୀଙ୍କ ପକ୍ଷରୁ ରିଲିଫ୍ ବଣ୍ଟନ କରିବେ ବୋଲି ସେ ସୂଚନା ଦେଇଥିଲେ।
ପୂର୍ବତନ ବିଧାୟକ ରାଘବ ପରିଡ଼ା ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବାରୁ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଥିବା କହିବା ସହ ସରକାରଙ୍କ ଘୋଷିତ ସହାୟତାକୁ ନଗଣ୍ୟ ବୋଲି ଅଭିହିତ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପିସିସି ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ ଓ ଉଷାରାଣୀ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ସୁଧାଂଶୁ ଦେଓ, ରବିନ୍ଦ୍ରନାଥ ଦ୍ୟାନ ସାମନ୍ତରା, ବୃନ୍ଦାବନ ଖଟେଇ,ନିଗମାନନ୍ଦ ପଣ୍ଡା, କ୍ଷମାସାଗର ମହାରଣା ଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ରିପୋର୍ଟ -(ନିଗମାନନ୍ଦ ପଣ୍ଡା )

Comments (0)
Add Comment