ବୋଲଗଡ଼, ୨୭/୧୦(ପିପିଟି): ପାନ ଦୋକାନରେ ପାନ-ଗୁଟଖା ବିକୁଥିବା ବ୍ୟକ୍ତି କହୁଛି “ମୁଁ ସାମ୍ବାଦିକ”। ସନ୍ଧ୍ୟା ହେଲେ ମଦ ଭାଟିରେ ମାତାଲ ହୋଇ ଗଡୁଥିବା ବ୍ୟକ୍ତି ଗର୍ବରେ କହୁଛି – “ମୁଁ ସାମ୍ବାଦିକ”। ମୋବାଇଲରେ ଗୋଟେ ଫେସବୁକ୍ ପେଜ୍ ଓ ୟୁ-ଟ୍ୟୁବ୍ ଚ୍ୟାନେଲ ଖୋଲି ନିରୀହ ଲୋକଙ୍କ ଫଟୋ ଉଠାଇ ବ୍ଲାକମେଲ କରୁଥିବା ବ୍ୟକ୍ତି ନିଜକୁ କହୁଛି – “ମୁଁ ବଡ଼ ସାମ୍ବାଦିକ”। ତେବେ ପ୍ରଶ୍ନ ଉଠୁଛି ପ୍ରକୃତ ସାମ୍ବାଦିକ କିଏ ? କେବେ ସାମ୍ବାଦିକତା ଥିଲା ଏକ ବ୍ରତ, ଏକ ତପସ୍ୟା। ଅମର ଶହୀଦ ଗଣେଶ ଶଙ୍କର ବିଦ୍ୟାର୍ଥୀ କହିଥିଲେ “ସାମ୍ବାଦିକର କଲମରେ ସତ୍ୟର ଧାର ଥିବା ଦରକାର, ଖଣ୍ଡାର ନୁହେଁ”। ସେ ସମୟରେ ସାମ୍ବାଦିକ ଥିଲା ସମାଜର ଆଖି, ପ୍ରଶାସନର ଆଇନା ଓ ନିରୀହର ଭରସା।
କିନ୍ତୁ ପ୍ରଶ୍ନ ଉଠୁଛି ଆଜି କ’ଣ ହେଲା ? ଆଜି ସାମ୍ବାଦିକତା ହୋଇଗଲା ଏକ ବେଶ। ଗଳାରେ ଗୋଟେ ଆଇ-କାର୍ଡ, ବାଇକ୍ ଆଗରେ ‘PRESS’ ଲେଖା ଷ୍ଟିକର, ଆଉ ମୁହଁରେ – “ମୁଁ ଯାହା ଲେଖିବି ତାହା ହିଁ ଖବର”ର ଅହଂକାର। ଏହା ସାମ୍ବାଦିକତା ନୁହେଁ, ଏହା ସାମ୍ବାଦିକତା ନାଁରେ ଆତ୍ମ-ପ୍ରବଞ୍ଚନା। ପ୍ରକୃତ ସାମ୍ବାଦିକ କିଏ ? ଆସନ୍ତୁ ବୁଝିବା
୧.ସାମ୍ବାଦିକ ସେ ନୁହେଁ, ଯିଏ ଖବର ବିକେ। ସାମ୍ବାଦିକ ସେ, ଯିଏ ଖବର ପାଇଁ ବିକ୍ରି ହୁଏନି।
୨.ସାମ୍ବାଦିକ ସେ ନୁହେଁ, ଯିଏ ବିଭିନ୍ନ ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟାଳୟ ବସି ଦଲାଲି କରେ। ସାମ୍ବାଦିକ ସେ, ଯିଏ ବିଭିନ୍ନ କାର୍ଯ୍ୟାଳୟର ଅନ୍ୟାୟ ବିରୁଦ୍ଧରେ ନିର୍ଭୟରେ ଲେଖେ। ୩.ସାମ୍ବାଦିକ ସେ ନୁହେଁ, ଯିଏ ମଦ, ମାଂସ, ଟଙ୍କା ପାଇଁ ଖବର ଚପାଏ। ସାମ୍ବାଦିକ ସେ, ଯିଏ ଗରିବର ଲୁହକୁ ନିଜ କଲମରେ ପୋଛେ। କିନ୍ତୁ ଆଜି ଚାରିଆଡେ ଭିଡ଼ ସାଟେଲାଇଟ୍, ପ୍ରିଣ୍ଟ, ପୋର୍ଟାଲ, ୟୁ-ଟ୍ୟୁବ୍, ଫେସବୁକ୍। ହେଲେ ସତ୍ୟ କେଉଁଠି ? ଲୋକ ଆଜି ସାମ୍ବାଦିକଙ୍କୁ ଦେଖି ସମ୍ମାନ ନୁହେଁ, ଭୟ କରୁଛି। “ଏ ପୁଣି କେତେ ଟଙ୍କା ମାଗିବ ?” – ଏହି ଚିନ୍ତା ସାଧାରଣ ଲୋକଙ୍କ ମନରେ। ଏହା ଆମ ସମସ୍ତଙ୍କ ପାଇଁ ଲଜ୍ଜା, ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପାଇଁ ସଙ୍କଟର ଘଣ୍ଟି।
କିନ୍ତୁ ଏହା ଆମକୁ ଜାଣିବା ଦରକାର ସୁନ୍ଦର ଦେଖାଇ ସମ୍ମାନ ମିଳେନି, ତେଜରୁ ମିଳେ। ଆଇ-କାର୍ଡରୁ ସାମ୍ବାଦିକ ହୁଅନ୍ତି ନାହିଁ , ଆଚରଣରୁ ହୁଅନ୍ତି। ମଦ ଗିଲାସରେ ନୁହେଁ, ସତ୍ୟର ମାପକାଠିରେ ସାମ୍ବାଦିକତା ପରଖା ଯାଏ। ବୋଲଗଡ଼ ମାଟିରେ ଏବେ ବି ଏମିତି ନିଷ୍ଠାପର ସାମ୍ବାଦିକ ଅଛନ୍ତି, ଯେଉଁମାନେ ନୀରବରେ ଦୁଃଖୀ ଲୋକଙ୍କ ଲୁହ ପୋଛୁଛନ୍ତି, ବିଭିନ୍ନ ବିଭାଗର ଦୁର୍ନୀତି ବିରୁଦ୍ଧରେ ବଜ୍ର ନିନାଦ କରୁଛନ୍ତି। ସେମାନଙ୍କୁ କୋଟି ପ୍ରଣାମ। ଆଉ ଯେଉଁମାନେ ରାତାରାତି ସାମ୍ବାଦିକ ହେଉଛନ୍ତି, ସେମାନଙ୍କୁ ଅନୁରୋଧ ଦୟାକରି ଏହି ପବିତ୍ର ବୃତ୍ତିକୁ କଳଙ୍କିତ କର ନାହିଁ। କାରଣ ସାମ୍ବାଦିକ ହେବା ସହଜ, ସାମ୍ବାଦିକତା ନିଭାଇବା କଠିନ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।