ସମ୍ପର୍କ ।

ସମ୍ପର୍କ ଏମିତି ଏକ ମାପକାଠି ଯେ କୌଣସି ପ୍ରାଣୀ ହେଉ କି ଜଡ ଜନିଷ ହେଉ ଯୋଡ଼ି ହୋଇ ଯାଏ। ସମ୍ପର୍କ ଯୋଡ଼ିବା ଯେତେ କି କଷ୍ଟ ଭାଙ୍ଗିବା ମଧ୍ୟ ସେତିକି କଷ୍ଟ। ସମ୍ପର୍କ ଏକ ହୃଦୟ ସ୍ପନ୍ଦନ। ମମତାର ବନ୍ଧନ ମାତ୍ର। ଭଲ ପାଇବାରୁ ସମ୍ପର୍କ ଆରମ୍ଭ ହୋଇଥାଏ। ଆମେ ବେଳେ ବେଳେ ପଶୁ ପକ୍ଷୀକୁ ଭଲ ପାଉ। ପାଳୁ ପୋଷୁ। ଖାଇବାକୁ ଦେଉ । ତା’ ସେବାରେ ମନ ନିବେଶ କରୁ। ଆମର ଗୃହ ପାଳିତ ପଶୁ ଭାବେ କୁକୁର,ବିଲେଇ,ଗାଈ ଗୋରୁ ଛେଳି ମେଣ୍ଢା, ମଇଁଷି,ଘୋଡା,ଗଧ,ଓଟ,ହାତୀ ବି ରହିଛି। ପକ୍ଷୀ ମଧ୍ୟରେ କୁକୁଡ଼ା,ବତକ,ପାରା, ମୟୂର,ଶୁଆ,ଶାରୀ ରହିଛି। ଏମାନଙ୍କ ସହିତ ସମ୍ପର୍କ ମଣିଷର ଯୋଡ଼ି ହୁଏ। କେବେ ଯଦି ପଞ୍ଜୁରୀରୁ ପୋଷା ଶୁଆଟି ଉଡିଯାଏ, ଆମକୁ ବିବ୍ରତ ଲାଗେ। ରାତରେ ନିଦ ହୁଏ ନି। ଯଦି ପୋଷା କୁକୁରଟି କୌଣସି କାରଣରୁ ଖାଏ ନି, ଆମକୁ ଭଲ ଲାଗେ ନାହିଁ। ସେମିତି ବଦଳ ସହିତ ଚାଷୀର ଓ ଭୂମି ସହିତ ଚାଷୀ ଅଖଣ୍ଡ ସମ୍ପର୍କ ରହିଛି।ମା ମାଟି ସହିତ ଆମ ସମସ୍ତଙ୍କ ସମ୍ପର୍କ ଅତୁଳନୀୟ।

କେବଳ ଯେ ପଶୁ ପକ୍ଷୀଙ୍କ ସହିତ ସମ୍ପର୍କ ଯୋଡି ହୁଏ ନାହିଁ। ଜଡ ବସ୍ତୁ ସହିତ ମଧ୍ୟ ସମ୍ପର୍କ ଯୋଡି ହୁଏ।
ଘରର ଯେତେ ସବୁ ଆସବାବପତ୍ର ରହିଛି ସମ୍ପର୍କ ରହିଛି। ନିତ୍ୟବ୍ୟବହାର୍ଯ୍ୟ ସମଗ୍ରୀ ସହିତ ସଦା ସର୍ବଦା ମନ ଜଡ଼ିତ। ପୋଷାକ ପତ୍ର ସହିତ ମଧ୍ୟ ସମ୍ପର୍କର ବନ୍ଧନ କମ୍ ନୁହେଁ। ବେଳେ ବେଳେ ଗୋଟିଏ ପୋଷାକକୁ ବାରମ୍ବାର ପିନ୍ଧିବାକୁ ଭଲ ପାଉ। ସେହି ପୋଷାକ ସହିତ ମନ ପ୍ରାଣ ଏମିତି ଜଡ଼ିତ ହୋଇଯାଏ ଯେ ଯଦି ସେହି ପୋଷାକଟି କେବେ ଚିରି ଗଲେ କି ପୁରୁଣା ହୋଇ ଗଲେ ମନରେ ଗଭୀର ଦୁଃଖ ରେଖା ପାତ କରେ । ଏହା ହିଁ ସମ୍ପର୍କ। ଆଖି ସହିତ ଚଷମା,ପାଦ ସହିତ ଚପଲ ବା ଜୋତା, ହାତ ସହିତ ଘଡି, ଆଙ୍ଗୁଠି ସହିତ ମୁଦି,ବେକ ସହିତ ମାଳି, କେଶ ସହିତ ପାନିଆ,ମୁଖ ସହିତ ଦର୍ପଣ ର ସମ୍ପର୍କ ରହିଛି। ସକାଳେ ଉଠୁ ଉଠୁ ପାଣି ସହିତ ସମ୍ପର୍କର ଆରମ୍ଭ ହୂଏ। ସେପରି ଦାନ୍ତ ସହିତ ଦାନ୍ତ କାଠି ବା ବ୍ରସ ପେଷ୍ଟ, ସ୍ନାନ ସହିତ ଦେହ, ପାଇଖାନା ସହିତ ମଳ ମୂତ୍ର, କ୍ଷୁଧା ସହିତ ଖାଦ୍ୟ, ତୃଷା ସହିତ ପାନୀୟ ର ସମ୍ପର୍କ ରହିଛି। ନାସା ସହିତ ବାୟୁ, ଆଖି ସହିତ ଦୃଶ୍ୟ, ଜିହ୍ୱା ସହିତ ସ୍ବାଦୁ ର ସମ୍ପର୍କ ଓତଃପ୍ରୋତ ଭାବେ ଜଡ଼ିତ।ରାତି ସହିତ
ଶୟନର, ଶୟନ ସହିତ ନୟନର ଆଉ ନିଦ ସହିତ ସ୍ବପ୍ନର ନାସା ସହିତ ଗନ୍ଧର ସମ୍ପର୍କ ରହିଛି। ଆଖି ସହିତ ଲୁହର, ଓଠ ସହିତ ହସର,ଚର୍ମ ସହିତ ସ୍ପର୍ଶ ଏବଂ ନାସା ସହିତ ଗନ୍ଧର ସମ୍ପର୍କ ରହିଛି।
ସେହିପରି ଘର ,ଗାଡି, ଜମି ବାଡ଼ି ସହିତ ମଧ୍ୟ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଯେଉଁ ଘରେ ଆମେ ଜନ୍ମ ନେଇଛୁ,ସେ ଘରକୁ ଆମେ ଭୁଲିବୁ ନାହିଁ। ହୁଏ ତ ସେହିଟା ଚାଳ କୁଟୀର ହୋଇ ପାରେ। ସେ ମମତା ନିଆରା। ଆଜି ହୁଏ ତ ଆମେ ଗାଁ ଛାଡି ସହରରେ ଭଲ କୋଠା ନିର୍ମାଣ କରି ରହିଲେ ମଧ୍ୟ ଗାଁ ମାଟିର ସମ୍ପର୍କ ସ୍ବର୍ଗ ଠାରୁ କମ୍ ନୁହେଁ। ଯେଉଁଠି ଶୈଶବ କଟିଛି,ସେ ସ୍ମୃତି ଅଲଗା, ସେ ସମ୍ପର୍କ ଅତୁଟ। ଆମେ ଗାଁ ରେ ରହି ଯେଉଁ ଚାଟଶାଳୀରେ ପାଠ ପଢୁଥିଲୁ, ଯେଉଁ ନଈ ବା ପୋଖରୀ ତୁଠରେ ଗାଧୁଆ ପାଧୁଆ କରୁଥିଲୁ, ସେ ସମ୍ପର୍କ ମଧ୍ୟ ଆମ ହୃଦୟରେ ପୁନର୍ଜୀବିତ ରହିଛି। ଆମେ ସେହି ସ୍ମୃତିକୁ ଆମେ ପରିଣତ ବୟସରେ ମଧ୍ୟ ସାଙ୍ଗ ସାଥି ମେଳରେ ଆଲୋଚନା କରୁ । ଆମ ପିଲାଦିନର ସାଙ୍ଗ କୁ କେବେ ସ୍ମୃତି ପଟରୁ ପୋଛି ଦେଉ ନା । ତାକୁ ଦିନେ ନା ଦିନେ ସ୍ମରଣ କରୁ । ସେପରି ଜୀବନ ରେ ଯଦି ପ୍ରେମ ହୋଇଥାଏ, ସେହି ସ୍ମୃତି ସାରା ଜୀବନ ମାନସ ପଟେ ଜାଜୁଲ୍ଯମାନ ହୋଇ ରହେ। ଅତୀତ ସହିତ ସମ୍ପର୍କ ରହିଛି। ଅତୀତକୁ କିଏ କେବେ ଭୁଲି ନଥାଏ। ଅତୀତକୁ ନେଇ ବର୍ତ୍ତମାନ ଆଉ ବର୍ତ୍ତମାନକୁ ନେଇ ଭବିଷ୍ୟତ। ଏସବୁର ସମ୍ପର୍କ କିଏ କାହାକୁ ଛାଡି ନାହିଁ। ଆମକୁ ତର୍ଜମା କରିବା କୁ ହେବ। ନତୁବା ଠିକ୍ ଲକ୍ଷ୍ୟ ପଥରେ ପହଞ୍ଚି ପାରିବା ନାହିଁ। ସେହିପରି ବୃତ୍ତି ସହିତ ରୋଜଗାର ଜୀବନର ମହତ୍ୱପୂର୍ଣ୍ଣ ସମ୍ପର୍କ ରହିଥିବା ସର୍ବ ବିଦିତ। ଯିଏ ଯେଉଁ ବୃତ୍ତି କଲା, ତାହା ନିଷ୍ଠାର ସହିତ କଲେ ଅସଫଳ ହେବ ନାହିଁ। ଏଣୁ ସଫଳ ଆଉ ବିଫଳ ସହିତ ମନ ପ୍ରାଣର ସମ୍ପର୍କ ରହିଛି।

ଅନ୍ୟ ପକ୍ଷରେ ବିବାହ ସହିତ ଦୁଇଟି ଆତ୍ମାର ସମ୍ପର୍କ ରହିଛି। ପ୍ରେମ ସହିତ ଦୁଇଟି ତରୁଣ ତରୁଣୀଙ୍କ ହୃଦୟର ସମ୍ପର୍କ ରହିଛି। ପରିବାର ସହିତ ବାପା,ମା’ ପୁଅ ଝିଅ ଓ ବନ୍ଧୁ ବର୍ଗଙ୍କ ସମ୍ପର୍କ ରହିଛି। ସେହିପରି ସୂର୍ଯ୍ୟ ସହିତ ଗ୍ରହ ଉପଗ୍ରହ, ଗ୍ରହାଣୁ ପୁଞ୍ଜର ସମ୍ପର୍କ ରହିଛି ଏବଂ ସୌରଜଗତ ସହିତ ବିଶ୍ବ ବ୍ରହ୍ମାଣ୍ଡ ର ସମ୍ପର୍କ ରହିଛି। ତେଣୁ କେବଳ ଯେ ପ୍ରାଣୀ ନୁହେଁ,ଜଡ ବସ୍ତୁ ସହିତ ମଧ୍ୟ ସମ୍ପର୍କକୁ ଆମେ ଅସ୍ୱୀକାର କରି ପାରିବା ନାହିଁ। ଆମେ ସୂର୍ଯ୍ୟ ଉଦୟ ହେଲେ ଉଠୁ। ସୂର୍ଯ୍ୟଙ୍କ ପାଇଁ ଦିନ ରାତି ହୁଏ। ସୂର୍ଯ୍ୟ ସକଳ ଶକ୍ତି ର ଆଧାର। ସୂର୍ଯ୍ୟ ସହିତ ଆମର ଭାବାବେଗ ଜଡ଼ିତ। ସୂର୍ଯ୍ୟ ଆମେ ଦେବତା ଭାବରେ ପୂଜା କରୁ । ସକାଳେ ସ୍ନାନ କଲା ପରେ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରି ପ୍ରଣାମ ଜଣାଉ। ଚନ୍ଦ୍ର ମଧ୍ୟ ଆମ ଜୀବ ପର୍ଯ୍ୟାୟରେ ସଂଶ୍ଳିଷ୍ଟ। ପିଲା ବେଳେ ମା ଏହି ଜହ୍ନକୁ ଦେଖାଇ ଗୀତ ଗାଏ। ଜହ୍ନ ଆମ ସଭିଙ୍କର ମାମୁଁ। ସୂର୍ଯ୍ୟ ଆଉ ଜହ୍ନ କୁ ନେଇ ଆମ ବେଦ ପୁରାଣ ଶାସ୍ତ୍ରରେ ବହୁ ବିଷୟ ବସ୍ତୁ ବର୍ଣ୍ଣନା କରାଯାଇଛି। କବି ଲେଖକ ଭାବୁକ ମାନେ ସୂର୍ଯ୍ୟ ଆଉ ଚନ୍ଦ୍ର କୁ କେନ୍ଦ୍ର କରି ବହୁ କାଳଜୟୀ କବିତା, ଗଳ୍ପ, ଉପନ୍ୟାସରେ ସୁନ୍ଦର ସୁନ୍ଦର ରଚନା କରିଯାଇଛନ୍ତି। ଆମେ ଯେଉଁ ଅନନ୍ତ ଆକାଶ ଦେଖୁଛୁ, ରାତିରେ ଅସଂଖ୍ୟ ତାରା ଗହଣରେ ଅତିଚିତାକର୍ଷ ଦେଖା ଯାଏ। ଆମେ ଶାରଦୀୟ ନିର୍ମଳ ଆକାଶ କୁ ଦେଖି ଭାବାବେଗ ହୋଇଉଠୁ। ଆକାଶକୁ ଦେଖି ମନରେ ଅସୀମ ପ୍ରେମ ଭାବ ଜାଗ୍ରତ ହୁଏ। ଏଣୁ ଆକାଶ ସହିତ ସବୁ ପ୍ରାଣୀ, ଉଦ୍ଭିଦ ର ସମ୍ପର୍କ ରହିଛି। ଋତୁ ଚକ୍ର କୁ ନେଇ ଖରା, ବର୍ଷା, ଶୀତ ପରିଚାଳିତ। ଋତୁକୁ ନେଇ ପ୍ରକୃତି ବଦଳେ । ପ୍ରକୃତି କୁ ନେଇ ବୃକ୍ଷ ଲତାରେ ପରିବର୍ତ୍ତନ ଘଟେ । ବର୍ଷା ଋତୁରେ ନାନା ଜନ୍ମ ନିଏ ଏବଂ ଫଳ ପୁଷ୍ପ ପ୍ରଦାନ କରେ । ଏହା ହିଁ ସମ୍ପର୍କର ମାନଦଣ୍ଡ। ବେଳେ ବେଳେ ଭଗବାନ ସହିତ ଭକ୍ତିର ସମ୍ପର୍କ
ମଧ୍ୟ ଅତୁଟ। ତେବେ ଭଗବାନ କିଏ? କେଉଁଠି ତାଙ୍କ ବାସ ସ୍ଥାନ, ସ୍ବରୂପ କଣ, ଭଗବାନ କୁ କିଏ ଦେଖିଛି କି ? ଭଗବାନ ବିଷୟରେ କିଛି ଜାଣୁ ନା! ତଥାପି ମାଟି, ପଥର କାମ୍ବା କାଠର ମୂର୍ତ୍ତି ଟିଏ ଗଢି ଦିଅଁ ଦେବୀର ନାମ କରଣ କରି ପୂଜାର୍ଚ୍ଚନା କରୁ। ସମ୍ପର୍କ ଯୋଡିବାକୁ ଆପ୍ରାଣ ଉଦ୍ୟମ କରୁ । ଆଧ୍ଯାତ୍ମିକ ସମ୍ପର୍କ ଯୋଗୁଁ ଆମ ମନରେ ଶାନ୍ତି ଫେରେ। ଅସ୍ଥିର ଅଶାନ୍ତ ରୁ ନିଜକୁ ମୁକ୍ତି ମିଳେ। ଭଗବାନ କାହାକୁ କିଛି ଦିଏ ନି ! କର୍ମ କଲେ ଫଳ ମିଳେ। କଷ୍ଟ ନ କଲେ କୃଷ୍ଣ କାହୁଁ ପ୍ରାପ୍ତ ହେବ। ତଥାପି ନିଜ ପରିଶ୍ରମ ରେ ଯହା ସଫଳତା ମିଳେ, ଆମେ ଭଗବାନଙ୍କ କୃପା ବୋଲି କହୁ। ଏହା ହିଁ ଭଗବାନ ସହିତ ଜନ୍ମ ମରଣର ସମ୍ପର୍କ ।

କେବେ କେବେ ସମ୍ପର୍କ ତୁଟି ଯାଏ ଚିର ଦିନ ପାଇଁ। ଆମ ପରିବାର ମଧ୍ୟରେ କାହାର ଦେହାନ୍ତ ହେଲେ ସବୁ ଦିନ ପାଇଁ ସମ୍ପର୍କ ବିଛିନ୍ନ ହୋଇଯାଏ । ମୃତ୍ୟୁ ପରେ କିଏ ଆଉ ଜୀବନ୍ତ ହୋଇ ଫେରି ନଥାଏ। ଆମ କିଛି ଘଣ୍ଟା ପାଇଁ ବା ଦିନ ପାଇଁ ଶୋକାକୁଳ ପରିସ୍ଥିତି ରେ ରହୁ। ଆର୍ତ୍ତନାଦ କରି କ୍ରନ୍ଦନ କରୁ। କାରଣ ଆମେ ସେହି ରକ୍ତ ଗତ ସମ୍ପର୍କରେ ଥିଲୁ। ସେହିପରି ସମାଜର ବଡ ବଡ ମହାପୁରୁଷଙ୍କ ଦେହାନ୍ତ ହେଲେ ଆମେ ଶୋକ ସଭା କରୁ । ସମ୍ପର୍କ ଯେ କେବଳ ରକ୍ତ ଗତ ନୁହେଁ,ବାହ୍ଯ ସମ୍ପର୍କରେ ମଧ୍ୟ ଆମ ମନ ପ୍ରାଣ ଜଡ଼ିତ।

ଆମେ ଜ୍ଞାନ ଅର୍ଜନ ପାଇଁ ବିଭିନ୍ନ ପୁସ୍ତକ ପଢୁ। ଯଦି କୌଣସି ବହିଟି ଉଈ ଲାଗି ନଷ୍ଟ ହୁଏ,ଆମ ମନରେ ଆଘାତ ଲାଗେ। କାରଣ ସେ ବହି ସହିତ ହୃଦୟର ସମ୍ପର୍କ ଜଡ଼ିତ ଥିଲା। ଖବର କାଗଜ ପଢ଼ିବା ଏକ ପ୍ରକାର ଦୈନଦିନ ସମ୍ପର୍କ । କେଉଁ ଦିନ ଯଦି ଖବର କାଗଜ ନ ଆସେ, ସେହି ଦିନ କିଛି ଅପୂରଣୀୟ ରହିଗଲା ପରି ପ୍ରତିତ ହୁଏ।ଟିଭି ଦେଖିବା, ରେଡ଼ିଓ ଶୁଣିବା, ମୋବାଇଲ ଚଳାଇବା, ନାଚ ଦେଖିବା, ଗୀତ ଗାୟନ, ବାଦ୍ୟ ବାଦନ ଏ ସବୁ କଳା ବା ମନୋରଞ୍ଜନ ସହିତ ମନର ସମ୍ପର୍କ ରକ୍ତ ମଜ୍ଜା ର ସମ୍ପର୍କ କହିଲେ ଚଳେ। ଏତିକି କହିବା ଯେ ଧନୀ ଗରିବର ମଧ୍ୟ ସମ୍ପର୍କ ରହିଛି। ସମସ୍ତେ ଧନୀ ହେଲେ କି ସମସ୍ତେ ଗରିବ ହେଲେ ଚଳିବ ନାହିଁ। ସମସ୍ତେ ରାଜା କି ସମସ୍ତେ ପ୍ରଜା ହେଲେ ଚଳିବ ନାହିଁ। ରାତି ସହିତ ଦିନର ଯେପରି ସମ୍ପର୍କ ରହିଛି,ପାପ ସହିତ ପୁଣ୍ୟର ବି ସମ୍ପର୍କ ରହିଛି। ଭଲ ସହିତ ମନ୍ଦର, ସୁଖ ସହିତ ଦୁଃଖ ଆଉ ସ୍ବର୍ଗ ସହିତ ନର୍କ ର ସମ୍ପର୍କ ରହିଛି। ତେଣୁ ସମ୍ପର୍କ ଏକ ବ୍ୟାପକ ଅସୀମ କହିଲେ ଚଳେ। ସମ୍ପର୍କ କୁ କୌଣସି ମାନଦଣ୍ଡର ପରିମାପକ ନୁହେଁ। ଯଦି ଆମେ ଅନନ୍ତ ଆକାଶ କୁ ତୁଳନାତ୍ମକ ଭାବେ ଗ୍ରହଣ କରିବା ହୁଏ ତ ସମ୍ପର୍କ କୁ ଆମେ ଦୃଷ୍ଟାନ୍ତ ସହକାରେ ଗ୍ରହଣ କରି ପାରିବା।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ, ଏମ୍ଏ, ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment