ବୋଲଗଡ଼,୨/୧୧ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଂପୁର ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ଏବେ ଜଣ୍ଡିସ ଆତଙ୍କରେ ଥରୁଛି। ପାଠ ପଢ଼ା ନୁହେଁ, ଏବେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ୧୫୨ ଜଣ କୁନି କୁନି ଛାତ୍ରଛାତ୍ରୀ। ସରକାରୀ ଫାଇଲରେ ସ୍ୱଚ୍ଛ ବିଦ୍ୟାଳୟ, ବାସ୍ତବରେ ଅପରିଷ୍କାର ଗନ୍ଧରେ ଫାଟି ପଡୁଛି ବିଦ୍ୟାଳୟ ପରିସର – ଏଥିପାଇଁ ଦାୟୀ କିଏ ? ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା। ୧୫୨ ଜଣ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରାଯିବା ବେଳେ ୩୯ ଜଣଙ୍କ ଦେହରେ ଜଣ୍ଡିସର ସ୍ପଷ୍ଟ ଲକ୍ଷଣ ଦେଖାଦେଇଛି। ସ୍ୱାସ୍ଥ୍ୟ କର୍ମୀମାନେ ତୁରନ୍ତ ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ମେଡିକାଲ ଲାବୋରେଟୋରୀକୁ ପଠାଇଛନ୍ତି। ଏହା ପରେ ଅପରାହ୍ନରେ ପୁଣି ୪ ଜଣ ଛାତ୍ରୀଙ୍କ ଦେହରେ ଜଣ୍ଡିସ ଲକ୍ଷଣ ଦେଖାଦେଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ପିଲା ଜଣ୍ଡିସରେ ଆକ୍ରାନ୍ତ ହେଲେ କିପରି? କାରଣ କଣ ହୋଇପାରେ ? ଖୋଲା କୂପ ନା ଶୌଚାଳୟ ?
ଘଟଣା ପରେ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀମାନେ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେମାନେ ଯାହା ଦେଖିଲେ, ତାହା ହୃଦୟ ବିଦାରକ।
ପାଇଖାନା ଓ ପରିସ୍ରାଗାର ଦୁର୍ଗନ୍ଧରେ ପାଖ ମାଡି ହେଉନି। ମାସ ମାସ ଧରି ସଫା ହୋଇନି। ପିଲାମାନେ ପିଉଥିବା ବୋରିଂ ପାଣି ଓ ପୁରାତନ ଖୋଲା କୂପ ପାଣି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର। ଖୋଲା କୂପର ପାଣି ବ୍ୟବହାରକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଦୂଷିତ ପାଣି ହିଁ କି ଜଣ୍ଡିସର ମୂଳ କାରଣ ?
ବିଦ୍ୟାଳୟର ଚାରିପଟେ ଅଳିଆ ଆବର୍ଜନା। ସ୍ଥାନୀୟ ଲୋକେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିଦ୍ୟାଳୟ ପରିସର ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି।
ଏହି ଅବ୍ୟବସ୍ଥା ପଛର ମୂଳ କାରଣ କ’ଣ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ଅଭାବ ? ଦୀର୍ଘ ଦିନ ହେଲା ଚତୁର୍ଭୁଜ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାଁନ୍ତି। ପ୍ରଭାରୀରେ ଚାଲିଛି ସ୍କୁଲ। ଫଳରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କେହି ନାହାଁନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମବାସୀମାନେ ତୁରନ୍ତ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବୀ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସଂପୁର ଗ୍ରାମବାସୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ ବିଦ୍ୟାଳୟର ପାଣି ପରୀକ୍ଷା, ପରିସର ସଫେଇ ଓ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଦାବୀ କରିଛନ୍ତି। ପ୍ରଶ୍ନ ଉଠୁଛି ଏବେ ସରକାରଙ୍କ ଉପରେ – ଏହି କୁନି ପିଲାଙ୍କ ଜୀବନ ସହ ଖେଳ କେବେ ବନ୍ଦ ହେବ ?
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।