ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦ୍ବାରା ଲଗାଣ ବର୍ଷା ଦ୍ଵାରା କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ।

ଭୁବନେଶ୍ୱର,୩୦/୧୦(ପିପିଟି): ଆଜି ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସଆରସି ଏଵଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣବ ର ପ୍ରଭାବରେ ଲଗାଣ ବର୍ଷା ଦ୍ଵାରା କ୍ଷୟକ୍ଷତି ସ୍ଥିତି ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ଏବଂ ବିପର୍ଯ୍ୟୟର ପ୍ରଭାବ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି ।

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ,ଗଞ୍ଜାମ, ଗଜପତି, କନ୍ଧମାଳ,କୋରାପୁଟ ଓ ରାୟଗଡ଼ ଆଦି ଜିଲ୍ଲାରେ ବାତ୍ୟ ଅର୍ଣ୍ଣବ୍ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗଜପତି ଓ କନ୍ଧମାଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାତ୍ୟା ପରବର୍ତ୍ତୀ ବୃଷ୍ଟିପାତ ଯୋଗୁଁ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି ଏବଂ ରାସ୍ତାଘାଟର ବ୍ୟାପକ କ୍ଷତି ଘଟିଛି । ଏହି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ODRAF, NDRF ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର ଓ ରିଲିଫ୍ ରେ ନିୟୋଜିତ ହୋଇଛନ୍ତି। ହେଲିକପ୍ଟର ମାଧ୍ୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି । ସବୁଠାରୁ ଅଧିକ ଗଞ୍ଜାମ (୪୨,୫୬୪), ଗଜପତି (୩୦,୦୦୦) ଏବଂ କନ୍ଧମାଳ (୧୨,୦୦୦) ଜିଲ୍ଲାର ଲୋକମାନେ ପ୍ରଭାବିତ ହୋଇଛନ୍ତି । ବିପଦପୂର୍ଣ୍ଣ ଅଞ୍ଚଳରୁ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍ କ୍ୟାମ୍ପ (ଆଶ୍ରୟସ୍ଥଳୀ) ଖୋଲାଯାଇଛି ।

ଏହି ସ୍ଥାନାନ୍ତର ପ୍ରକିୟାରେ ଗର୍ଭବତୀ ମହିଳାମାନଙ୍କୁ ସର୍ବାଗ୍ରେ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇ ଦିଆଯାଉଛି । ଏହା ସହିତ ରିଲିଫ୍ କ୍ୟାମ୍ପଗୁଡ଼ିକରେ ଶୁଖିଲା ଖାଦ୍ୟ, ଚାଉଳ, ଗୁଡ଼, ପଲିଥିନ୍ ସିଟ୍ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି । କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ବିଦ୍ୟୁତ୍ ସେବାକୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି ।

Comments (0)
Add Comment