ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ପ୍ରସ୍ତୁତି ବୈଠକ ।

ଯାଜପୁର, ୧୫/୦୪(ପିପିଟି): ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଯୋଜନା ଅଧୀନରେ ଆସନ୍ତା ଏପ୍ରିଲ ୨୧ ତାରିଖରେ ସଠିପୁର ସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପରିସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସାମୂହିକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ପୂର୍ବରୁ ବଛା ହୋଇଥିବା ୬୭ ଜଣ ବର କନ୍ୟାଙ୍କ ବିବାହ କାର୍ଯ୍ୟ ସମ୍ପାଦନ ହେବ। କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଏଭଳି ଏକ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ କହିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି, ରାସନ କାର୍ଡଧାରୀ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗୋଷ୍ଠୀ, ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଙ୍କ ମଧ୍ୟରୁ ବିବାହ ପାଇଁ ୬୭ ଜଣ ବର କନ୍ୟାଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବର କନ୍ୟାଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ରାଶି ମଧ୍ୟ ଦିଆଯାଉଛି। ଏପ୍ରିଲ ୨୧ ରେ ସେମାନଙ୍କ ସାମୂହିକ ବିବାହ କାର୍ଯ୍ୟ ହେବ। ସକାଳୁ ୮ ରୁ ୯ ଘଟିକା ମଧ୍ଯରେ ବରକନ୍ୟାଙ୍କ ଆଗମନ ସହ ରେଜିଷ୍ଟ୍ରେସନ୍ ହେବ। ଏହାପରେ ୯.୪୫ ଘଟିକାରେ ଉଦଘାଟନୀ ସଭା ସହ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୧ ଘଟିକା ଯାଏଁ ବିବାହ କର୍ମ ଚାଲିବ। ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ସ୍ୱତନ୍ତ୍ର ଭାବେ ବ୍ରାହ୍ମଣ ପଣ୍ଡିତ ନିୟୋଜିତ ହେବା ସହ ପ୍ରାୟ ୧୪ ଟି ବିବାହ ବେଦୀ ପ୍ରସ୍ତୁତ କରାଯାଇଛି। ଏହାସହ ଶିଙ୍ଗ ବାଦ୍ୟ, ମହୁରୀ, ଶଙ୍ଖର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦିନ ୧.୩୦ ରେ ସାମୂହିକ ଭୋଜନ ଆୟୋଜନ ହେବ। ବର ଓ କନ୍ୟାଙ୍କ ସମ୍ପର୍କୀୟଙ୍କ ସମେତ ପ୍ରାୟ ୩୦୦୦ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ଏଥିପାଇଁ ଆଇନ ଶୃଙ୍ଖଳା ସହ ପାର୍କିଂ ଇତ୍ୟାଦି ସୁପରିଚାଳନା ନିମନ୍ତେ ପୋଲିସ ଫୋର୍ସ ମୁତୟନ କରାଯିବ। ମନ୍ଦିର ପରିସରରେ ଅସ୍ଥାୟୀ ଟେଣ୍ଟ, ସହ ମିଟିଂ ହଲ୍, ଅତିଥି ହଲ୍, ରେଜିଷ୍ଟ୍ରେସନ୍ ହଲ୍, ଶୌଚାଳୟ, ପାନୀୟ ଜଳ ଇତ୍ୟାଦି ବ୍ୟବସ୍ଥା କରାଯିବ। ସେହି ପରିସରରେ ଅଗ୍ନିଶମ ବାହିନୀ, ଅଗ୍ନି ନିର୍ବାପକ ଯନ୍ତ୍ର, ଆମ୍ବୁଲାନ୍ସ, ଫାଷ୍ଟ ଏଡ୍ କିଟ୍ ଇତ୍ୟାଦି ମଧ୍ୟ ମୁତୟନ ହେବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି, ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ପ୍ରସ୍ତୁତି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସମସ୍ତ ସିଡ଼ିପିଓ, ଅଗ୍ନିଶମ ଅଧିକାରୀ, ପୋଲିସ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଯାଜପୁର ତହସିଲଦାର, କୋରେଇ ବିଡ଼ିଓ, ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment