ମାଲ୍ ପରିବହନରେ ପୂର୍ବତଟ ରେଲୱେର ନୂଆ ରେକର୍ଡ, ୬ ମାସରେ ୧୨୦.୭୬ ନିୟୁତ ଟନ୍ ବୋଝେଇ ।

ଭୁବନେଶ୍ୱର,୦୯/୧୦(ପିପିଟି ):ପରିବହନ କ୍ଷେତ୍ରରେ ପୂର୍ବତଟ ରେଲୱେ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ଛଅ ମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏହି ଜୋନ୍ ମୋଟ ୧୨୦.୭୬ ନିୟୁତ ଟନ୍ ମାଲ୍ ବୋଝେଇ କରିଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ହୋଇଥିବା ୧୧୬.୭୮ ନିୟୁତ ଟନ୍ ତୁଳନାରେ ୩.୪ ପ୍ରତିଶତ ଅଧିକ।
ମଣ୍ଡଳୱାରୀ ପ୍ରଦର୍ଶନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ୮୭.୬୪ ନିୟୁତ ଟନ୍ ମାଲ୍ ବୋଝେଇ କରି ୧.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ରାୟଗଡ଼ା ମଣ୍ଡଳ ୧୯.୯୭ ନିୟୁତ ଟନ୍ ମାଲ୍ ପରିବହନ ସହ ୮.୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ସମ୍ବଲପୁର ମଣ୍ଡଳ ୧୩.୧୫ ନିୟୁତ ଟନ୍ ମାଲ୍ ବୋଝେଇ କରି ୭.୩ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି।
ପଣ୍ୟ ସାମଗ୍ରୀ ମଧ୍ୟରେ କୋଇଲା ପରିବହନ ସର୍ବାଧିକ ରହିଛି। ଏହି ଛଅ ମାସରେ ୭୧.୦୧ ନିୟୁତ ଟନ୍ କୋଇଲା ବୋଝେଇ ହୋଇଛି, ଯାହା ଗତବର୍ଷ ତୁଳନାରେ ୩.୭ ପ୍ରତିଶତ ଅଧିକ। ସେହିପରି ୧୪ ପ୍ରତିଶତ ଅଭିବୃଦ୍ଧି ସହ ୧୯.୬୦ ନିୟୁତ ଟନ୍ ଲୁହାପଥର ଏବଂ ୭.୮ ପ୍ରତିଶତ ବୃଦ୍ଧି ସହ ୨.୧୦ ନିୟୁତ ଟନ୍ କଣ୍ଟେନର ପରିବହନ କରାଯାଇଛି।
ମାଲ୍ ବୋଝେଇ ସହ ମାଲ୍ ଅନ୍ଲୋଡିଂ କ୍ଷେତ୍ରରେ ମଧ୍ୟ ପୂର୍ବତଟ ରେଲୱେ ଭଲ ପ୍ରଦର୍ଶନ କରିଛି। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ମୋଟ ୧୦୯.୬୬ ନିୟୁତ ଟନ୍ ମାଲ୍ ଅନ୍ଲୋଡ୍ ହୋଇଛି। ଗତବର୍ଷର ସମାନ ଅବଧିରେ ୧୦୦.୧୧ ନିୟୁତ ଟନ୍ ଅନ୍ଲୋଡ୍ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ୧୦ ପ୍ରତିଶତ ଅଭିବୃଦ୍ଧି ଘଟିଛି।
ଅନ୍ଲୋଡିଂ କ୍ଷେତ୍ରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ୭୮.୩୩ ନିୟୁତ ଟନ୍ ମାଲ୍ ଅନ୍ଲୋଡ୍ କରି ୧୧ ପ୍ରତିଶତ ଅଭିବୃଦ୍ଧି ସହ ଆଗରେ ରହିଛି। ସମ୍ବଲପୁର ମଣ୍ଡଳ ୨୨.୮୪ ନିୟୁତ ଟନ୍ ମାଲ୍ ଅନ୍ଲୋଡ୍ କରି ୬ ପ୍ରତିଶତ ଏବଂ ରାୟଗଡ଼ା ମଣ୍ଡଳ ୮.୪୯ ନିୟୁତ ଟନ୍ ମାଲ୍ ଅନ୍ଲୋଡ୍ କରି ୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏହି ପରିସଂଖ୍ୟାନ ପୂର୍ବତଟ ରେଲୱେର ମାଲ୍ ପରିବହନ ଓ ଅନ୍ଲୋଡିଂ କ୍ଷେତ୍ରରେ ନିରନ୍ତର ଅଗ୍ରଗତିକୁ ପ୍ରତିଫଳିତ କରୁଛି।

Comments (0)
Add Comment