ମାଲକାନଗିରି ଜିଲ୍ଲା ଶ୍ରମିକ ଦିବସ ସମାରୋହ: ୧.୬୩ କୋଟିର ସହାୟତା ବାଣ୍ଟିଲେ ଜିଲ୍ଲାପାଳ ।

ମାଲକାନଗିରି,୦୧/୦୫(ପିପିଟି):ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ତ୍ୟାଗ ଓ ନିଷ୍ଠାର ପ୍ରଶଂସା କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଶ୍ରମିକମାନେ ହେଉଛନ୍ତି ଆମ ସମାଜର ପ୍ରକୃତ ବିନ୍ଧାଣି। ସେମାନଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ନିଶ୍ଚିତ କରିବା ଜିଲ୍ଲା ପ୍ରଶାସନର ପ୍ରାଥମିକତା। ସରକାରୀ ଯୋଜନାର ସୁଫଳ ଯେପରି ପ୍ରତ୍ୟେକ ପରିବାର ପାଖରେ ପହଞ୍ଚିବ, ସେଥିପାଇଁ ଆମେ ସଦା ଚେଷ୍ଟା କରୁଛୁ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ଉପାଧ୍ୟକ୍ଷା ସାବିତ୍ରୀ ପଡିଆମୀ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମୁନିସିପାଲିଟି ଉପାଧ୍ୟକ୍ଷା କବିତା ମହନ୍ତ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ମୋଟ ୩୨୩ ଜଣ ହିତାଧିକାରୀଙ୍କୁ ୧ କୋଟି ୬୩ ଲକ୍ଷ ୨୭ ହଜାର ୨୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ବିବାହ ସହାୟତା ବାବଦରେ ୩୩ ଜଣଙ୍କୁ ୧୬,୫୦,୦୦୦ ଟଙ୍କା, ମୃତ୍ୟୁ ସହାୟତା ବାବଦରେ ୪୪ ଜଣଙ୍କୁ ୧,୨୬,୦୦,୦୦୦ ଟଙ୍କା, ଅନ୍ତ୍ୟେଷ୍ଟି ସହାୟତା ପାଇଁ ୪୪ ଜଣଙ୍କୁ ୨,୨୦,୦୦୦ ଟଙ୍କା, ଶିକ୍ଷା ସହାୟତା ପାଇଁ ୧୮୪ ଜଣଙ୍କୁ ୧୬,୭୭,୨୦୦ ଟଙ୍କା ଏବଂ ମାତୃତ୍ୱ ସହାୟତା ପାଇଁ ୧୮ ଜଣଙ୍କୁ ୧,୮୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ୧୦୦ ଜଣଙ୍କୁ ନୂତନ ପରିଚୟ ପତ୍ର ଓ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ପକ୍ଷରୁ ୧୦ ଜଣଙ୍କୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି। ଏହି ଭବ୍ୟ ସମାରୋହରେ ୫୫୦ରୁ ଅଧିକ ଶ୍ରମିକ, ଟ୍ରେଡ ୟୁନିଅନ କର୍ମକର୍ତ୍ତା ଓ ଶ୍ରମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment