ମାଲକାନଗିରି, ୨୨/୦୪(ପିପିଟି):ମାଲକାନଗିରି ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ମା ଓ ଶିଶୁଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟାଭ୍ୟାସର ପ୍ରସାର, ପୋଷଣ ସଚେତନତା ସୃଷ୍ଟି କରିବା ଏବଂ ଅପୃଷ୍ଟି ନିବାରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଦୁର୍ଯ୍ଯୋଧନ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସବ୍-ଡିଭିଜନ ପ୍ରୋଗ୍ରାମ ଅଫିସର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ତରଫରୁ ରାଜାରାମ ଶତପଥି ପ୍ରମୁଖ ଯୋଗ ଦେଇଥିଲେ। ମାଲକାନଗିରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରେଖା ଶୁଭା ସୁନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧୀନସ୍ଥ ସମସ୍ତ ମଣ୍ଡଳ ପରିଦର୍ଶିକା, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକାମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।
ଏହି ଅବସରରେ ଅଙ୍ଗନବାଡି କର୍ମୀମାନେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ସଠିକ୍ ଖାଦ୍ୟପେୟ ଓ ପୋଷଣ ବିଷୟରେ ପରାମର୍ଶ ଦେଇଥିଲେ। ଶିଶୁମାନଙ୍କ ପାଇଁ ସନ୍ତୁଳିତ ଆହାର, ବିଶେଷ କରି ସ୍ଥାନୀୟ ଖାଦ୍ୟ ପଦାର୍ଥ ଓ ମିଲେଟ୍ର ଉପକାରିତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା। ପୋଷଣ ପଖୱାଡା ପାଳନ ଅବସରରେ ଏକ ବିଶାଳ ରାଲି, ପୋଷ୍ଟର ପ୍ରଦର୍ଶନୀ ଏବଂ ସୁସ୍ଥ ରନ୍ଧନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହିତ ସ୍ୱଚ୍ଛତା, ପରିଷ୍କାର ପରିବେଶ ଏବଂ ନିୟମିତ ହାତ ଧୋଇବା ଭଳି ସ୍ୱାସ୍ଥ୍ୟକର ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅପୃଷ୍ଟି ମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଏହି ସଭାରେ ସଂକଳ୍ପ ନିଆଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)