ମାଲକାନାଗିରି,୧୪/୦୯(ପିପିଟି):ଏମ୍ଭି-୭୯ ଥାନା ଅଧୀନ ୩୨୬ ନମ୍ବର ଜାତୀୟ ରାଜପଥର ତେଲେରାଇ ଛକ ନିକଟରେ ଏକ ମାର୍ମାନ୍ତକ ସଡ଼କ ଦୁର୍ଘଟଣା ଘଟିଛି। ତିନିଚକିଆ ଟ୍ରଲି ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଯୁବକଜଣକ ପଡ଼ିଆ ଥାନା ଅନ୍ତର୍ଗତ ଏମ୍ଭି-୬୬ ଗ୍ରାମର ମଙ୍ଗଳ ଚୌଧୁରୀଙ୍କ ୧୭ ବର୍ଷୀୟ ପୁଅ ଯାମିନୀ ଚୌଧୁରୀ ବୋଲି ଜଣାପଡ଼ିଛି। ସେହିପରି ଉକ୍ତ ଗ୍ରାମର ଉତ୍ତମ ବିଶ୍ୱାସଙ୍କ ୧୮ ବର୍ଷୀୟ ପୁଅ ରୋହିତ ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଯାମିନୀ ଏବଂ ରୋହିତ ଗୋଟିଏ ନମ୍ବରବିହୀନ ନୀଳ ରଙ୍ଗର ‘ହିରୋ ପାସନ୍ ପ୍ରୋ’ ମୋଟର ସାଇକେଲ୍ରେ କାଲିମେଳାରୁ ଏମ୍ଭି-୭୯ ଅଭିମୁଖେ ଯାଉଥିଲେ। କାଲିମେଳା ଓ ଏମ୍ଭି-୯୦ ମଝିରେ ଅନ୍ୟ ଏକ ବାଇକ୍ ସହ ସାମାନ୍ୟ ହ୍ୟାଣ୍ଡେଲ୍ ଛନ୍ଦି ହୋଇଯିବାରୁ ସେମାନଙ୍କ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆନ୍ଧ୍ରପ୍ରଦେଶ ଆଡ଼ର ଏକ ହଳଦିଆ ରଙ୍ଗର ଟ୍ରଲି ଅଟୋ ନମ୍ବର:ଟିଏସ ୨୮ ପିଢ଼ି ୩୨୯୭ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାମିନୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ରୋହିତଙ୍କର ଡାହାଣ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡ ଫାଟି ଗଭୀର କ୍ଷତ ସୃଷ୍ଟି ହୋଇଛି। ଅଟୋ ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ରୋହିତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂକଟପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାଲକାନଗିରିକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ମାଲକାନଗିରି ହସ୍ପିଟାଲ ରୁ ରୋହିତଙ୍କୁ କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏମ୍ଭି-୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)