ବ୍ରହ୍ମପୁର,୦୬/୦୭(ପିପିଟି):ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଗଞ୍ଜାମ ସମୀର କୁମାର ଜେନା ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ କରିଥିଲେ । ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଏହାର ତ୍ୱରିତ୍ ସମାଧାନ ଦିଗରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଜନଶୁଣାଣୀରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା,ସାମାଜିକ ସୁରକ୍ଷା ଭତ୍ତା,ଖାଉଟି କାର୍ଡ,ଅନ୍ତ୍ୟୋଦୟ,ପ୍ରଧାନମନ୍ତ୍ରୀ ଆବାସ,ଜମିଜମା,ସାମୁହିକ ଉନ୍ନୟନ ଏବଂ ବ୍ୟକ୍ତିଗତ ସହାୟତା ସମ୍ବନ୍ଧୀୟ ଆବେଦନ ଉପରେ ବିଚାର କରାଯାଇଥିଲା । ସୁଭଦ୍ରା ହେଲ୍ପ ଡେସ୍କ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ବନ୍ଧିତ ସହାୟତାର ବ୍ୟବସ୍ଥା କରାଯାଇଥିଲା । ଏହି ଜିଲ୍ଲାସ୍ତରୀୟ ଜନଶୁଣାଣୀରେ ସମୁଦାୟ ୧୧୩ଟି ଦରଖାସ୍ତ ପଞ୍ଜିକୃତ ହୋଇଥିଲା । ତନ୍ମଧ୍ୟରୁ ୯୦ ଟି ବ୍ୟକ୍ତିଗତ ଆବେଦନ, ୦୯ ଟି ଗ୍ରାମ୍ୟ ସମସ୍ୟା ଆଧାରିତ ଥିବା ବେଳେ ୩ଟି ଦରଖାସ୍ତର ତତ୍କାଳ ସମାଧାନ ହୋଇଥିଲା । ୧୧ ଜଣଙ୍କୁ ୭୦ ହଜାର ଟଙ୍କାର ରେଡ଼କ୍ରସ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜନଶୁଣାଣୀ ଶିବିରରେ ଉପସ୍ଥିତ ବିଭାଗୀୟ ଅଧିକାରୀଗଣ ସକ୍ରିୟ ସହଯୋଗ କରିଥିଲେ । ମହାନଗର ନିଗମର ଡେପୁଟି କମିଶନର ଏବଂ ସଦର ଏସ୍.ଡ଼ି.ପି.ଓ ମଧ୍ୟ ଶିବିରରେ ଯୋଗ ଦେଇଥିଲେ । ଭୀଷ୍ମଗିରି ର ଏମ୍. ସୀମାଞ୍ଚଳ ପାତ୍ର ଏବଂ କଳମ, ବାଲିପଦର ର ବଙ୍ଗାଳୀ ପ୍ରଧାନଙ୍କ ସହ ୯ ଜଣ ଦୃଷ୍ଟିବାଧିତଙ୍କର ଜନଶୁଣାଣୀରେ ସହାୟତା ଆବେଦନ ଉଲ୍ଲେଖନୀୟ ପ୍ରସଙ୍ଗ ଥିଲା ।