ବିଭିନ୍ନ ଦାବି ନେଇ ଓଡିଶା ବନ୍ଦ ବ୍ରହ୍ମପୁରରେ ଆୟୋଜିତ ।

ବ୍ରହ୍ମପୁର,୦୮/୧୦(ପିପିଟି): ଶାସକ ଭାଜପାର ବିଜୟ ପାଇଁ ଦେଶର ନିର୍ବାଚନ କମିଶନଙ୍କ ଖୋଲାଖୋଲି ଭୋଟ ଚୋରୀକୁ ବିରୋଧ କରି ତଥା ଜନଗଣଙ୍କ ଅନ୍ୟାନ୍ୟ ଦାବି ନେଇ ବିରୋଧୀ ଦଳମାନଙ୍କ ଦ୍ଵାରା ଆହୂତ ଓଡିଶା ବନ୍ଦ ଆଜି ବ୍ରହ୍ମପୁରରେ ଆୟୋଜିତ ହୋଇଛି । ଆଜି ପୂର୍ବାହ୍ନରେ ଦୁଇ ବାମପନ୍ଥୀ ପାର୍ଟି, ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀ ଓ ସିପିଆଇ (ଏମ୍- ଏଲ୍) ରେଡଷ୍ଟାରର କର୍ମୀମାନେ ହାତରେ ପ୍ଳକାର୍ଡ ଓ ପତାକା ଧରି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ ଆଗରେ ପିକେଟିଂ କରି ବନ୍ଦ କରାଇଥିଲେ । ଭୋଟ ଚୋରୀରେ ସାମିଲ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରର୍ ଇସ୍ତଫା ପ୍ରଦାନ, ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ସଂଶୋଧନ, SIR ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବା, ଏସଆଇଆରରେ ଭୋଟର ତାଲିକାରୁ ବାଦ ପଡିଯାଇଥିବା ଦେଶର ୧୩ କୋଟିରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ତାଲିକାରେ ପୁନଃ ସାମିଲ କରାଇବା, ରାଜ୍ୟରେ ବିକାଶ ନାଁରେ ସବୁ ଖଣି ଖାଦାନକୁ ବଡ଼ ବଡ କମ୍ପାନୀ ହାତକୁ ଟେକିଦେବା ବନ୍ଦ କରିବା, ରାଜ୍ୟର ସ୍ୱାର୍ଥ ବିରୋଧୀ ତଥା ଆଦିବାସୀ ବିରୋଧୀ ଖଣି ଖଣିଜ ଆଇନ (MMDR Act-2026) କୁ ବାତିଲ କରିବା ଆଦି ଦାବି ନେଇ ଆଜି ‘ଓଡିଶା ବନ୍ଦ’ ର ଡାକରା ଦିଆଯାଇଥିଲା । ଆଜିର ଏହି ବନ୍ଦ ପାଳନରେ ସିପିଆଇ (ଏମ୍- ଏଲ୍) ନିଉ ଡେମୋକ୍ରାସୀର ରାଜ୍ୟ ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା କମିଟି ସଦସ୍ୟ ଲଡୁ କିଶୋର ଡାକୁଆ, ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ନାରାୟଣ ବିଷୋୟୀ, ସିପିଆଇ (ଏମ୍- ଏଲ୍) ରେଡଷ୍ଟାରର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ୍, ଜିଲ୍ଲା କମିଟି ସଭ୍ୟ ରାମଚନ୍ଦ୍ର ବାଡତ୍ୟା, ସାମାଜିକ କର୍ମୀ ଆଦିତ୍ୟ ନାରାୟଣ ରଥ, ଶିକ୍ଷକ ନେତା ଅଶୋକ କୁମାର ଦଳାଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ବନ୍ଦ ଡାକରା ଫଳରେ ଆଜି ସହରର ପ୍ରାୟତଃ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ,ବ୍ୟାଙ୍କ, ଡାକଘର, ବୀମା କାର୍ଯ୍ୟାଳୟ ଓ ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଥିଲା । ବ୍ରହ୍ମପୁରରୁ ଜିଲ୍ଲାର ଅନ୍ୟ ସ୍ଥାନକୁ ତଥା ଜିଲ୍ଲା ବାହାରକୁ ବସ ଚଳାଚଳ ମଧ୍ୟ ବନ୍ଦ ଥିଲା ।
ବନ୍ଦର ସଫଳତା ପାଇଁ ଉଭୟ ପାର୍ଟିର ନେତାମାନେ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment