ବିବାଦୀୟ ପୋଲାଭରମ ଓ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ‘ପାପ’ ଅଧ୍ୟକ୍ଷ।

ମାଲକାନିଗିରି,୦୮/୦୫(ପିପିଟି): ଆଜି ଆନ୍ଧ୍ର ପ୍ରଦେଶ ଆଲ୍ଲୁରି ସୀତାରାମା ରାଜୁ ଜିଲ୍ଲାର କୟୂରୁ ମଣ୍ଡଳ ସଦର ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ମାମ୍ପା ଗ୍ରାମରେ ବ୍ରିଟିଶ ପୋଲିସ ଦ୍ୱାରା ଗିରଫ ହୋଇ ଗୁଳିରେ ଶହୀଦ ହୋଇଥିବା ବିପ୍ଲବୀ ଜ୍ୟୋତି ଆଲ୍ଲୁରି ସୀତାରାମା ରାଜୁଙ୍କ ଅଠର ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତି ୯୮ତମ ଶ୍ରାଦ୍ଧ ବାର୍ଷିକୀ ଆଲ୍ଲୁରି ସୀତାରାମା ରାଜୁ ଜାତୀୟ ମିମୋରିଆଲ ଫାଉଣ୍ଡେସନର ଅଧ୍ୟକ୍ଷ ପାଡାଲ ବୀରଭଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିମାନେ ଆନ୍ଧ୍ରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପିଡ଼ିକା ରାଜାନ୍ନା ଦୋରା ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା। ବରେଣ୍ୟ ଅତିଥିଭାବେ ପାଡେରୁ ସାଂସଦ ଗଡେଟି ମାଧବୀ ଓ ବିଧାୟିକା କଟ୍ଟାଗୁଲ୍ଲି ଭାଗ୍ୟଲକ୍ଷ୍ମୀ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ‘ପାପ’ ର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳ ଯୋଗଦେଇ ସଭାକାର୍ଯ୍ୟ ଶେଷ ହେବାପରେ ବିବାଦୀୟ ପୋଲାଭରମ ଓ ସୀମା ବିବାଦ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥଲେ। ୧୯୮୬ ଓ ୨୦୦୬ ବନ୍ୟାରେ ଡ୍ୟାମ ନ ଥାଇ ପୋଲାଭରମ ପଛୁଆ ଜଳଦ୍ୱାରା ମାଲକାନଗିରି ଜିଲ୍ଲାର ୧୩୦ ଖଣ୍ଡ ଗାଁ ପ୍ରଭାବିତ ହୋଇଥିଲା। ଏହା ଏକ ଜାତୀୟ ପ୍ରକଳ୍ପ ହୋଇଥିବାରୁ ଓଡିଶା ଓ ଛତିଶଗଡ଼ରୁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ କିଏ କ୍ଷତିପୂରଣ ସହ ଥଇଥାନ କରିବେ ବୋଲି ଶ୍ରୀ ହନ୍ତାଳ ପ୍ରଶ୍ନ କରିଥିଲେ। କୋଟିଆ ପ୍ରସଙ୍ଗରେ ସୀମା ବିବାଦ ଉଭୟ ରାଜ୍ୟର ମୁଣ୍ଡବ୍ୟଥା ହୋଇଥିବାରୁ ତୁରନ୍ତ ସମସ୍ୟାର ସମାଧାନ ହେବାର ଆବଶ୍ୟକତା ରହିଛି । ଯଦିବା କୋଟିଆ ଗ୍ରାମ ପଞ୍ଚାୟତର କିଛି ଗ୍ରାମଗୁଡିକ ଆନ୍ଧ୍ର ରେଭେନ୍ୟୁ ଡିଭିଜନରେ ଅଛି, କୋଟିଆ ଓ ପୋଲାଭରମ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଓଡିଶା ସରକାରଙ୍କ ସହ ପୁନର୍ବାର ଆଲୋଚନା କରି ସମସ୍ୟା ସମାଧାନର ବାଟ ବାହାର କରିବେ ବୋଲି ଆନ୍ଧ୍ରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ପିଡ଼ିକା ମତ ରଖିଥିଲେ। ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜ୍ୟ ତଫସିଲଭୁକ୍ତ ଜନଜାତି କମିଶନ ଡ଼ଃ. କୁମ୍ବା ରବିବାବୁ ଓ ବରିଷ୍ଠ ସମାଜସେବୀ ରାମ ଗୋପାଲ ଗାଡୁତୁରି ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment