ବସ୍‌ଷ୍ଟାଣ୍ଡ ଓ ଟଏଲେଟ୍ ନିର୍ମାଣ ପାଇଁ ବାରମ୍ବାର ଦାବୀ ସତ୍ୱେ ନିରବ ପ୍ରଶାସନ ।

ବେଗୁନିଆପଡ଼ା,୧୧/୧୦(ପିପିଟି):ବର୍ଷ ପରେ ବର୍ଷ ବିତୁଛି, ହେଲେ ଅଙ୍ଗାରଗାଁରେ ନିର୍ମାଣ ହୋଇପାରୁନି ସ୍ଥାୟୀ ବସଷ୍ଟାଣ୍ଡ ଓ କମ୍ୟୁନିଟି ଟଏଲେଟ୍‌। ରାସ୍ତା ଉପରେ ବସ୍‌ ରହୁଛି, ଯାତ୍ରୀ ହେଉଛନ୍ତି ହନ୍ତସନ୍ତ। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ବାର ଜନ ସାଧାରଣଙ୍କ ଅଭିଯୋଗ ସତ୍ୱେ ଗୁରୁତ୍ୱ ଦେଉନି ପ୍ରଶାସନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାରଗାଁ ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଏହା ଉପରେ ପ୍ରାୟ ୫ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଏଠାରେ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ଡାକଘର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ସେବା ସମବାୟ ସମିତି ଭଳି ଅନୁଷ୍ଠାନ ରହିଛି। ନିକଟରେ ରହିଛି ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ୍‌। ଫଳରେ ଦୈନିକ ଏଠାକୁ ବହୁ ଲୋକଙ୍କ ଯାତାୟାତ ଲାଗି ରହିଛି । ସୂଚନା ଅନୁଯାୟୀ, ୧୯୭୬ ମସିହାରେ ପୂର୍ବତନ ବିଧାୟକ ସ୍ୱର୍ଗତ ନାରାୟଣ ସାହୁଙ୍କ ନେତୃତ୍ୱରେ ଅଙ୍ଗାରଗାଁକୁ ବସ୍‌ ସେବା ଆରମ୍ଭ ହୋଇଥିଲା । ଆଜି ମଧ୍ୟ ବ୍ରହ୍ମପୁର ଓ ଭୁବନେଶ୍ୱରରୁ ବସ୍‌ ଚଳାଚଳ କରୁଛି। କିନ୍ତୁ ଏତେ ବର୍ଷ ପରେ ମଧ୍ୟ ଯାତ୍ରୀଙ୍କ ପାଇଁ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇନଥିବା ଦୁର୍ଭାଗ୍ୟଜନକ। ବସଷ୍ଟାଣ୍ଡ ନଥିବାରୁ ବସ୍‌ଗୁଡ଼ିକ ରାସ୍ତା ଉପରେ ରହୁଛି। ଏହା ଦ୍ୱାରା ଯାତାୟାତରେ ବାଧା ସୃଷ୍ଟି ହେବା ସହ ଟ୍ରାଫିକ୍‌ ଜାମ୍‌ ଓ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଅନ୍ୟପକ୍ଷରେ କମ୍ୟୁନିଟି ଟଏଲେଟ୍‌ ନଥିବାରୁ ମହିଳା, ବୟସ୍କ ଓ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି । ଅଙ୍ଗାରଗାଁବାସୀଙ୍କ ପାଇଁ ସ୍ଥାୟୀ ବସଷ୍ଟାଣ୍ଡ ଓ କମ୍ୟୁନିଟି ଟଏଲେଟ୍‌ ଆଉ ବିଳାସ ନୁହେଁ, ଏହା ଏକ ମୌଳିକ ଆବଶ୍ୟକତା । ତେଣୁ କେବଳ ପ୍ରତିଶ୍ରୁତି ନୁହେଁ, ଏହି ଦୁଇଟି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଠୋସ୍‌ ପଦକ୍ଷେପ ନେବା ଜରୁରୀ। ଏବେ ଦେଖିବାକୁ ବାକି ରହିଲା, ଲୋକଙ୍କ ଏହି ମୌଳିକ ଦାବି ପ୍ରତି ପ୍ରଶାସନ ଓ ଜନପ୍ରତିନିଧି କେବେ ଦୃଷ୍ଟି ଦେଉଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment