ବନ୍ଧୁକ ସହ ୨ଜଣଙ୍କୁ ଗିରଫ କଲା ତାରସିଂ ପୋଲିସ ।

ଭଞ୍ଜନଗର, ୧୭/୦୮(ପିପିଟି ):ଗଞ୍ଜାମ ଜିଲ୍ଲା ତାରସିଂ ପୋଲିସ ଏକ ବଡ ଧରଣର ଅଘଟଣକୁ ରୋକିବାରେ ସକ୍ଷମ ହୋଇଛି ।ରବିବାର ରାତି ୧୨ଟା ସମୟରେ ତାରାସିଂ ଥାନାର ଇନ୍ସପେକ୍ଟର ଏ.କେ. ପ୍ରଧାନ ଅନ୍ୟ ଥାନା କର୍ମଚାରୀଙ୍କ ସହ ମିଶି ଗାଲେରୀ, ବ୍ରାହ୍ମଣପଦର, ବଦାଙ୍ଗି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ।ଏହି ସମୟରେ ଗାଲେରୀ ଓ ଢେପସାହି ମଧ୍ୟସ୍ଥ ମୁଖ୍ୟ ରାସ୍ତାରେ ଥିବା ମା’ ବ୍ରାହ୍ମଣୀଦେବୀ ମନ୍ଦିର ନିକଟରେ ବେଆଇନ ଅସ୍ତ୍ରଶସ୍ତ୍ର ଧରି ସନ୍ଦେହଜନକ ଭାବେ କିଛି ବ୍ୟକ୍ତି ଅପରାଧିକ କାର୍ଯ୍ୟ ଘଟାଇବାକୁ ବୁଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ। ପୋଲିସ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ଚଢ଼ଉ କରି ଦୁଇଜଣ ବ୍ୟକ୍ତିଙ୍କୁ କାବୁ କରିଥିଲେ। ସେମାନେ ହେଲେ ଭଞ୍ଜନଗର ଥାନା ଅଞ୍ଚଳର ମୁନା ଗନ୍ତାୟତ ଏବଂ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳର ମଦନ ମାଝୀ। ସେମାନଙ୍କ ତଲାସୀ ନେବାରେ ଗୋଟିଏ ଦେଶୀ ବନ୍ଧୁକ (ସିଙ୍ଗଲ୍-ଶଟ୍), ଗୋଟିଏ ଲୁହା ଖଣ୍ଡା, ଦୁଇଟି ମୋବାଇଲ୍ ଫୋନ୍ ଓ OD-32-6873 ନମ୍ବର ବିଶିଷ୍ଟ ଗୋଟିଏ ନାଲି ରଙ୍ଗର ପଲସର୍ ବାଇକ ଜବତ କରିଥିଲେ।ଏସଂକ୍ରାନ୍ତରେ ବେଆଇନ ମାରଣାସ୍ତ୍ର ରଖିବାକୁ ନେଇ ତାରସିଂ ଥାନା କେସ ନଂ ୨୮୦/୨୬ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

ରିପୋର୍ଟ -ଜେ.କେ ପଟ୍ଟନାୟକ

Comments (0)
Add Comment