ବଡ଼ବଡୁଆଙ୍କୁ ଡାକିବାକୁ କାଉଁରିଆ କାଠିର ଅଭାବ,ହଜି ଯାଉଛି ନଳିତା ଚାଷ, ନିରବ କୃଷି ବିଭାଗ।

ବୋଲଗଡ଼, ୩୧/୧୦ (ପିପିଟି):ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି। ଓଡ଼ିଆ ପରମ୍ପରା ଅନୁସାରେ ଏହି ଦିନ ଗାଁ ଗଣ୍ଡାରେ ପିଠା ପଣା କରି ଘର ଆଗରେ ବଡ଼ବଡୁଆଙ୍କୁ ଡାକିଥାନ୍ତି “ବଡ଼ ବଡୁଆ ହୋ, ଅନ୍ଧାରରେ ଆସ, ଆଲୋକରେ ଯାଅ”। କାଉଁରିଆ କାଠି ଜାଳି ସପରିବାର ପୂର୍ବପୁରୁଷଙ୍କୁ ସ୍ମରଣ କରନ୍ତି।

କିନ୍ତୁ ଏଥର ଦୀପାବଳିରେ ବୋଲଗଡ଼ ବଜାର,ରାଜସୁନାଖଳା ବଜାରରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଲା। କଟକ ଜିଲ୍ଲା ବାଙ୍କୀରୁ ଆସିଥିବା ବଡ଼ ବଡୁଆଙ୍କୁ ଡାକିବା ପାଇଁ କାଉଁରିଆ କାଠି ବିକ୍ରୟ ବେପାରୀ ଆଣୁଛନ୍ତି ଯାହା ମିଳୁଛି ୪ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାର ଦାମ୍ ୨୦ ଟଙ୍କା। କାରଣ ବୋଲଗଡ଼ର ପ୍ରତେକ ଗାଁରେ ଆଉ ନଳିତା ଚାଷ ହେଉନି। ପୂର୍ବରୁ ବୋଲଗଡ଼ ବ୍ଲକର ବ୍ୟାପକ ଭିତ୍ତିଭୂମିରେ ନଳିତା ଚାଷ ହେଉଥିଲା। ଏହାକୁ ସୁନାର ଫସଲ କୁହାଯାଉଥିଲା। ଏବେ ଚାଷୀ ଧାନ ଓ ପରିବା ଆଡକୁ ମୁହାଁଉଛନ୍ତି। ଚାଷୀଙ୍କ ଅଭିଯୋଗ, ଏଥିପାଇଁ କୃଷି ବିଭାଗ ଦାୟୀ। ଚାଷୀଙ୍କ କହିବା ଅନୁସାରେ ଉନ୍ନତ ବିହନ ମିଳୁନି, ଯାହା ମିଳୁଛି ତା’ର ମାନ ନାହିଁ।

ବୈଷୟିକ ଜ୍ଞାନ ଓ ନଳିତା ପଚାଇବା ପାଇଁ ଆଧୁନିକ କୌଶଳ ଶିଖାଉନି ବିଭାଗ।ଫସଲ ପାଇଁ ସରକାରୀ ପ୍ରୋତ୍ସାହନ ରାଶି ଓ ସହାୟତା କାଗଜ କଲମରେ ଅଛି, ବିଲରେ ନାହିଁ। ଫଳରେ ଅଣ୍ଟାଏ ପାଣିରେ ବୁଡି ଦିନ ସାରା କଷ୍ଟ କରି ନଳିତା ପଚାଉଥିବା ଚାଷୀ ଆଜି ଏ ଚାଷକୁ ଛାଡି ଦେଉଛି। କିନ୍ତୁ
ଏଠି ପ୍ରଶ୍ନ ଉଠୁଛି ବୋଲଗଡ଼ କୃଷି ଅଧିକାରୀଙ୍କୁ ଯେତେବେଳେ କେନ୍ଦ୍ର ସରକାର ପ୍ଲାଷ୍ଟିକ୍ ବନ୍ଦ କରି ଝୋଟ ବ୍ୟାଗ୍ କୁ ପ୍ରୋତ୍ସାହନ ଦେଉଛି, ସେତେବେଳେ ବୋଲଗଡ଼ରେ ନଳିତା ଚାଷ କାହିଁକି ମରୁଛି ? ଏଥିପାଇଁ ଆପଣଙ୍କ ବିଭାଗ ପକ୍ଷରୁ କେତୋଟି ସଚେତନତା କାର୍ଯ୍ୟକ୍ରମ ହୋଇଛି ? ନଳିତା ଚାଷୀଙ୍କୁ ଉନ୍ନତ ବିହନ, ସବସିଡି ଓ ବୈଷୟିକ ସହାୟତା ଦେବା ପାଇଁ ଗତ ଦୁଇ ବର୍ଷରେ ଆପଣ କେତୋଟି ପଦକ୍ଷେପ ନେଇଛନ୍ତି ? ଦୀପାବଳିରେ କାଉଁରିଆ କାଠି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି, ଏହା କ’ଣ ଆମ ପରମ୍ପରା ଓ ଚାଷ ଉଭୟ ପାଇଁ ବିପଦ ସଙ୍କେତ ନୁହେଁ କି ?ଯଦି ଏବେ ବି ସରକାର ନ ଚେତିବ, ପ୍ରୋତ୍ସାହନ ରାଶି ଯୋଗାଇ ନ ଦେବ, ତେବେ ବୋଲଗଡ଼ରୁ ନଳିତା ଚାଷ ସବୁଦିନ ପାଇଁ ଲିଭିଯିବ, ଆଉ ପର ପିଢି କାଉଁରିଆ କାଠି କ’ଣ ଜାଣିବେନି। କାଉଁରିଆ କାଠି ଅଭାବ ଆମ ସଂସ୍କୃତି ପାଇଁ ବିପଦ ନୁହେଁ କି ? ନଚେତ୍ ଏହି ପରମ୍ପରା ହଜିଯିବ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment