ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି ।

କନ୍ଧମାଳ, ୧୪/୧୦(ପିପିଟି): ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବାକୁ ଫୁଲବାଣୀରେ ପ୍ରଶାସନିକ ତତ୍ପରତା ବଢ଼ିଛି। ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଡିଜେ ବ୍ୟବହାର ଉପରେ ନିଷେଧାଦେଶ, ସମସ୍ତ ପୂଜା ମଣ୍ଡପରେ ସିସିଟିଭି ସ୍ଥାପନ ଏବଂ ଭସାଣି ଦିନ ଟ୍ରାଫିକ୍ କଟକଣା ଭଳି ନିଷ୍ପତ୍ତି ପୂଜାର ସୁପରିଚାଳନା ପାଇଁ ଗୁରୁତ୍ୱ ବହନ କରୁଛି। ଏନେଇ ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଫୁଲବାଣୀଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଭିକାରୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମା’ ବରାଳଦେବୀ ପୂଜା କମିଟିର କର୍ମକର୍ତ୍ତା ଏବଂ ସହରର ୯ଟି ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ ଯୋଗଦେଇଥିଲେ। ପୂଜା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା, ଯାତାୟାତର ସୁବିଧା ଓ ଶୃଙ୍ଖଳିତ ଭାବେ ଉତ୍ସବ ପାଳନ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ପୂଜା ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୂଜା କମିଟିଗୁଡ଼ିକ ଆବଶ୍ୟକ ସଂଖ୍ୟକ ପରିଚୟପତ୍ରଧାରୀ ସ୍ୱେଚ୍ଛାସେବୀ ନିୟୋଜିତ କରିବେ। ଦର୍ଶନାର୍ଥୀଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ୍ ପରିଚାଳନା ଓ ପ୍ରସାଦ ବଣ୍ଟନ ଦାୟିତ୍ୱରେ ସ୍ୱେଚ୍ଛାସେବୀମାନେ ସହଯୋଗ କରିବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଡିଜେ ବ୍ୟବହାର ନିଷେଧ କରାଯାଇଥିବାବେଳେ ନିର୍ଦ୍ଧାରିତ ମାନକ ଅନୁଯାୟୀ ସାଉଣ୍ଡ ସିଷ୍ଟମ୍ ବ୍ୟବହାର କରାଯିବ। ଏଥିସହ ବେଆଇନ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି। ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଆବଶ୍ୟକ ଲାଇସେନ୍ସ ରହିବା ବାଧ୍ୟତାମୂଳକ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି।ଦୁର୍ଗାପୂଜା ସମୟରେ ସହରର ମୁଖ୍ୟ ବଜାର ଅଞ୍ଚଳରେ ଜନସମାଗମ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୨୦ ଓ ୨୧ ତାରିଖରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଗାନ୍ଧୀ ଛକଠାରୁ ବସ୍‌ଷ୍ଟାଣ୍ଡ ମଧ୍ୟବର୍ତ୍ତୀ ମାର୍କେଟ ଅଞ୍ଚଳକୁ ଚାରିଚକିଆ ଯାନ ପ୍ରବେଶ ଉପରେ କଟକଣା ରହିବ। ଏହାଦ୍ୱାରା ଦର୍ଶନାର୍ଥୀଙ୍କ ଯାତାୟାତ ସୁଗମ କରିବା ସହ ବଜାର ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ଅକ୍ଟୋବର ୨୩ ତାରିଖରେ ହେବାକୁ ଥିବା ମା’ଙ୍କ ଭସାଣି ଉତ୍ସବ ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଜାର ବନ୍ଦ ରହିବା ସହ ଟ୍ରାଫିକ୍ ଡାଇଭର୍ସନ୍ କରାଯିବ। ଏହି ସମୟରେ ଯାନବାହନ ଚଳାଚଳକୁ ନିୟନ୍ତ୍ରିତ କରିବା ସହ ଭସାଣି ଶୋଭାଯାତ୍ରା ଯେପରି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୁଏ, ସେଥିପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ।
ପୂଜା ସମୟରେ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଆଲୋକିତ ରଖିବା ପାଇଁ ପୌରପାଳିକାକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ସାଜସଜ୍ଜା ଆଲୋକୀକରଣ ସହ ଆରଟିଓ କାର୍ଯ୍ୟାଳୟ ସମ୍ମୁଖ ଓ ଅନ୍ୟାନ୍ୟ ଅଞ୍ଚଳରେ ଖରାପ ହୋଇଥିବା ଷ୍ଟ୍ରିଟ୍ ଲାଇଟ୍‌ ଗୁଡ଼ିକର ମରାମତି ଦାୟିତ୍ୱ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି। ସେହିପରି ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ଥିବା ଶୌଚାଳୟକୁ ସଫାସୁତୁରା ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାଦିକୁନ୍ଦା ଦୁର୍ଗାପୂଜା ମଣ୍ଡପ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍ ବିଭାଗର ଏସ୍‌ଡିଓଙ୍କୁ ଦାୟିତ୍ୱ ଦିଆଯାଇଛି। ଦୁର୍ଗାପୂଜା ଅବସରରେ ମା’ ବରାଳଦେବୀ ପୀଠରେ ବିଭିନ୍ନ ସାଂସ୍କୃତିକ ଆୟୋଜନ କରାଯିବ। ଅକ୍ଟୋବର ୧୭ ଓ ୧୮ ତାରିଖରେ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ୧୯ ତାରିଖରେ ଆଦିବାସୀ ସାଂସ୍କୃତିକ ପରିବେଷଣ ସହ ପାରମ୍ପରିକ ନାଟକ ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖର କାର୍ଯ୍ୟକ୍ରମର ତଦାରଖ ଦାୟିତ୍ୱ ଖଜୁରୀପଡ଼ା ଥାନା ଅଧିକାରୀଙ୍କୁ ଦିଆଯାଇଛି। ବୈଠକର ଶେଷରେ ଜିଲ୍ଲାପାଳ ବେଦ ଭୂଷଣ ଦୁର୍ଗାପୂଜାକୁ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୂଜା କମିଟି, ପୋଲିସ ପ୍ରଶାସନ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଫୁଲବାଣୀ ଟାଉନ୍ ଥାନାର ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment