ବୋଲଗଡ଼, ୧୪/୧୦ (ପିପିଟି): ଏ ପଟେ ସରକାର ସବୁ ଗରିବଙ୍କୁ ପକ୍କା ଘର ଦେବାର ଡିଣ୍ଡିମ ପିଟୁଛନ୍ତି, ସେ ପଟେ ବୋଲଗଡ଼ ବ୍ଲକ୍ରେ ଜଣେ ଭୂମିହୀନ ଅସହାୟ ପରିବାର ଗତ ଲଗାଣ ବର୍ଷାରେ ନିଜର ଏକମାତ୍ର କୁଡ଼ିଆ ଘର ହରାଇ ଏବେ ସାହି କୋଠ ବାରଣ୍ଡାରେ ଦିନ କାଟୁଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଖଙ୍ଗୁରିଆ ପଞ୍ଚାୟତ ସଂପୁର ଗ୍ରାମର ପଥର ଚକଡ଼ା ସାହିରେ।
ମାଳତୀ ଓଝା (୬୧), ସ୍ୱାମୀ ବ୍ରଜବନ୍ଧୁ ଓଝା (୭୦)। ଦୁହେଁ ଭୂମିହୀନ, ଭିଟାମାଟି ନାହିଁ। ସମ୍ବଳ କହିଲେ ଥିଲା ଗୋଟିଏ ମାଟି ଘର। ଗତ କିଛି ଦିନର ଲଗାଣ ବର୍ଷାରେ ସେ ଘରର କାନ୍ଥ ଫାଟି ଆଁ କରି ପୁରା ଭାଙ୍ଗି ପଡିଛି। ନିଜର ବୋଲି ଆଉ ଘର ନଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ବାଧ୍ୟ ହୋଇ ସାହି କୋଠ ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଖରା, ବର୍ଷା, ଶୀତ ସବୁ ସେହି ବାରଣ୍ଡାରେ। ରାତି ହେଲେ ଜୀବନ ଅସୁରକ୍ଷିତ। ସ୍ୱାମୀ ବ୍ରଜବନ୍ଧୁ ଫାଇଲେରିଆ ରୋଗୀ ହୋଇଥିବା ବେଳେ ସ୍ତ୍ରୀ ମାଳତୀ ହୃଦ୍ରୋଗରେ ପୀଡ଼ିତ। ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି। ସରକାରୀ ସହାୟତା କହିଲେ ୩୫କିଲେ ଚାଉଳ ଏବଂ ଭତ୍ତା ପାଉଛନ୍ତି ସେଥିରେ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ଏହି ଅସହାୟ ପରିବାର ଆଜି ଯାଏଁ କୌଣସି ସରକାରୀ ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି। ଏହି ଅସହାୟ ଦମ୍ପତି ପ୍ରଶାସନ ପାଖରେ ହାତ ଯୋଡି ନିବେଦନ କରିଛନ୍ତି ଯେ, ତାଙ୍କୁ ତୁରନ୍ତ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ। ଯାହା ଫଳରେ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଏକ ଛାତ ପାଇପାରିବେ।
ବୋଲଗଡ଼ ଭଳି ବ୍ଲକରେ ଶହ ଶହ ଯୋଜନା କାଗଜ ପତ୍ରରେ ଚାଲିଥିବା ବେଳେ, ମାଳତୀ ଓଝାଙ୍କ ଭଳି ପ୍ରକୃତ ଗରିବ ଲୋକ ଯୋଜନାରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁଃଖଦାୟକ। ବୋଲଗଡ଼ ତହସିଲଦାର ଓ ବିଡ଼ିଓ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।
ପ୍ରଶ୍ନ ଉଠୁଛି – ସରକାରୀ ବାବୁମାନେ କାଗଜପତ୍ରର ଜଟିଳତା ଦେଖାଇ ଏହି ଅସହାୟ ପରିବାରକୁ ଆଉ କେତେ ଦିନ ବାରଣ୍ଡାରେ ରଖିବେ ?
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ