ପ୍ରସିଦ୍ଧ ଶ୍ରୀ ଶ୍ରୀ ଗୌରୀ ଆମ୍ମା ଯାତ୍ରା ଶୁଭାରମ୍ଭ ।

ପୋଲସରା ,୨୮/୧୦(ପିପିଟି): ଆଜି ମା’ ଙ୍କୁ ଆବାହନ କରି ଆଣିବା ପରେ ପୋଲସରା ର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବା ଗୌରୀ ଆମ୍ମା ଯାତ୍ରା ଆଜି ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଯାତ୍ରା କମିଟି ର ନିଷ୍ପତ୍ତି ଅନୁଯାୟୀ ଆଜି ଯାତ୍ରା କମିଟି ର ସମସ୍ତ ସଭ୍ୟ ମାନଙ୍କ ସହିତ ଗ୍ରାମବାସୀ ଏବଂ ଡେରା ସମ୍ପ୍ରଦାୟର ର ଲୋକ ମାନେ ଅପରାହ୍ନ ଏକ ଘଣ୍ଟା ସମୟରେ ଘଣ୍ଟ ମୃଦଙ୍ଗ , ଢୋଲ , କାହାଳୀ , ଶଙ୍ଖ ପ୍ରଭୃତି ବଜାଇ ପ୍ରଥମେ ସ୍ଥାନୀୟ ଥାନା ନିକଟସ୍ଥ ଏକ ଜମି ରୁ ଧାନ ଗଛ ଉପାଡି ଆଣିବା ପରେ ବସଷ୍ଟାଣ୍ଡ ନିକଟରେ ଥିବା ରତନି ଠାକୁରାଣୀ ମନ୍ଦିର ରେ ପୂଜା ଅର୍ଚ୍ଚନା କରା ଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିବା ପରେ ମା’ ଙ୍କ ମଥା ରୁ ମନ୍ଦାର ଫୁଲ ପଡ଼ିଥିଲା । ମା’ ମଥାରୁ ପଡ଼ିଥିବା ମନ୍ଦାର ଫୁଲ କୁ ଧାନ ଗଛ ରେ ସ୍ଥାପନ କରା ଯାଇ ଡେରା ସାହି ରେ ମା’ ଙ୍କ ଲାଗି ନିର୍ମାଣ କରା ଯାଇଥିବା ଅସ୍ଥାୟୀ ମନ୍ଦିର କୁ ନିଆଯାଇଥିଲା । ଏହା ପରେ କୁମ୍ଭାର ଘରୁ ମାଟି ଆଣି ଅକ୍ଷୟ ଆଚାରି ଙ୍କୁ ଦିଆଯାଇଥିଲା । ଅକ୍ଷୟ ଆଚାରି ସେହି ମାଟିରେ ବୃଷଭ ଏବଂ ବୃଷଭ ପିଠିରେ ହର ଗୌରୀ ମୂର୍ତ୍ତି ନିର୍ମାଣ କରି ଦେବା ପରେ ମା’ ସେଥିରେ ବସି ନଭେମ୍ବର ମାସ ୧ ତାରିଖ ଠାରୁ ନଗର ଭ୍ରମଣ କରିବେ । ଏହି ଯାତ୍ରା ଦୀର୍ଘ ଏକମାସ ବ୍ୟାପି ଚାଲିବ । ନଭେମ୍ବର ମାସ ୨୮ ତାରିଖ ଦିନ ମା’ ଙ୍କ ବିସର୍ଜନ ସହିତ ଯାତ୍ରା ର ପରିସମାପ୍ତି ଘଟିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ପ୍ରତିକୂଳ ପାଗ ଯୋଗୁଁ ଆଜି ମା’ ଙ୍କ ଆବାହନ କାର୍ଯ୍ୟକ୍ରମ କୁ ନିରାଡମ୍ବର ଭାବେ ସମ୍ପନ୍ନ କରା ଯାଇଥିବା ମଧ୍ୟ କମିଟି ପକ୍ଷରୁ କୁହାଯାଇଛି ।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Comments (0)
Add Comment