ପ୍ରଶଂସା ନୁହେଁ, ପ୍ରଶ୍ନ ହିଁ ସାମ୍ବାଦିକତା।

ବୋଲଗଡ଼,୨୮/୧୦(ପିପିଟି): ଆଜି ବୋଲଗଡ଼ରେ ସାମ୍ବାଦିକତାର ସଂଜ୍ଞା ବଦଳି ଯାଉଛି। ଆଗରୁ ସାମ୍ବାଦିକ ମାନେ ପ୍ରଶ୍ନ ପଚାରୁଥିଲେ, ଏବେ ପ୍ରଶଂସା କରୁଛନ୍ତି। ନେତାଙ୍କ ଜୟଗାନ, ଅଫିସରଙ୍କ ଗୁଣଗାନ, ଆଉ ସୋସିଆଲ ମିଡିଆରେ ଫଟୋ।
କିନ୍ତୁ ପ୍ରକୃତ ସାମ୍ବାଦିକତା କ’ଣ ? ପ୍ରଶଂସା କରିବା ପାଇଁ ଚାମଚା ଅଛନ୍ତି, ଆଇଟି ସେଲ୍ ଅଛି। ସାମ୍ବାଦିକର କାମ ହେଉଛି ପ୍ରଶ୍ନ କରିବା। ବୋଲଗଡ଼ରେ ପ୍ରଶ୍ନ କରିବାର ସାହସ କାହିଁକି ହଜୁଛି ? ଏନଏସି ଘୋଷଣା ୨ ବର୍ଷ ହେଲା, କାର୍ଯ୍ୟକାରୀ କାହିଁକି ହେଲାନି? ଏହି ପ୍ରଶ୍ନ କିଏ ପଚାରିବ ? କୋର୍ଟ ଘୋଷଣା ମଞ୍ଚରେ, ଜମି କେଉଁଠି ? ଏହି ପ୍ରଶ୍ନ କିଏ ପଚାରିବ ? ମାଣିକପୁରର ବିଧବା ୪ ଝିଅକୁ ନେଇ ଭୋକରେ, ତାକୁ ଯୋଜନା ମିଳୁନି କାହିଁକି ? ଏହି ପ୍ରଶ୍ନ କିଏ ପଚାରିବ ? ସରକାରୀ ବିଭାଗରେ ବିନା ଟଙ୍କାରେ କାମ ହେଉନି କାହିଁକି ? ଏହି ପ୍ରଶ୍ନ କିଏ ପଚାରିବ ? ଯଦି ଆମେ ପ୍ରଶ୍ନ ପଚାରିବା ବନ୍ଦ କରିଦେବା, ତେବେ କଲମ ମରିଯିବ, ମାଇକ୍ ମୂକ ହୋଇଯିବ। ସେହିପରି ପାର୍ବଣ ଋତୁ ଆସିଲେ ବିଭିନ୍ନ କାର୍ଯ୍ୟାଳୟରୁ ପାର୍ବଣ ଖର୍ଚ୍ଚ ନ ମାଗି, କେବଳ ସମସ୍ୟାର ଭିତରକୁ ଯାଇ ପ୍ରଶ୍ନ ପଚାରିବା ହିଁ ପ୍ରକୃତ ସାମ୍ବାଦିକତା। ତେଣୁ ଏହି ଦୁର୍ନୀତି ନିବାରଣ ସପ୍ତାହରେ ଆସନ୍ତୁ ଶପଥ ନେବା ପ୍ରଶଂସା ନୁହେଁ, ପ୍ରଶ୍ନ କରିବା। କାରଣ ପ୍ରଶ୍ନ ହିଁ ସାମ୍ବାଦିକତା, ଆଉ ପ୍ରଶ୍ନ ହିଁ ଗଣତନ୍ତ୍ରର ଶ୍ୱାସ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment