ପାନୀୟଜଳ ବ୍ୟବସ୍ଥା ନାମରେ ୧ ଲକ୍ଷ ୮୦ ହଜାର ଟଙ୍କା ଆତ୍ମସାତ ।

ବ୍ରହ୍ମପୁର,୨୬/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର କଳମ୍ବ ପଞ୍ଚାୟତରେ ଚାଲିଥିବା ଦୁର୍ନୀତି ପଦାକୁ ଆସିଛି । କଳମ୍ବ ସ୍ଥିତ ନେହେରୁ ଯୁବ ସଂସଦ କାର୍ଯ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା କାଗଜ କଲମରେ ପ୍ରସ୍ତୁତ ହୋଇ ମିଥ୍ୟା ଜିଓ ଟେଗ୍ କରି ଅର୍ଥ ଆତ୍ମସାତ କରାଯାଇଥିବା ନେଇ ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ଅଭିଯୋଗ ଉଠାଇଛନ୍ତି । ଶ୍ରୀ ମହାନ୍ତି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ପଞ୍ଚାୟତରାଜ ସଚିବ,ଭିଜିଲାନ୍ସ ଓ ଜିଲ୍ଲାପାଳ ଗଞ୍ଜାମଙ୍କୁ ଇ ମେଲ ଯୋଗେ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ପାନୀୟଜଳ ବ୍ୟବସ୍ଥା ସମ୍ପର୍କରେ ନେହେରୁ ଯୁବ ସଂସଦ କଳମ୍ବ ସଭାପତି ଅଶୋକ କୁମାର ସାହୁ ଓ ସଂପାଦକ ସତ୍ୟନାରାୟଣ ପ୍ରଧାନଙ୍କୁ ଫୋନ ଯୋଗେ ପଚାରିବାରୁ ସେମାନେ କହିଛନ୍ତି କୌଣସି ପାନୀୟଜଳ ବ୍ୟବସ୍ଥା କାର୍ଯ୍ୟ କରାଯାଇ ନାହିଁ । ଅନୁସନ୍ଧାନରୁ ଜଣାପଡିଛି ଯେ ନେହେରୁ ଯୁବ ସଂସଦ କାର୍ଯ୍ୟାଳୟକୁ ପାନୀୟଜଳ ପାଇପ ସଂଯୋଗ ହୋଇ ନାହିଁ ଏବଂ କାର୍ଯ୍ୟାଳୟ ଭିତରେ ପାନୀୟଜଳ ବ୍ୟବସ୍ଥା ମୂଳରୁ ହିଁ ନାହିଁ । ଏହି ଦୁର୍ନୀତିର ଯେଉଁ ମାନେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ଘଟଣା ବର୍ତ୍ତମାନ କଳମ୍ବ ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Comments (0)
Add Comment