ଭଞ୍ଜନଗର,୧୪/୦୭(ପିପିଟି): ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ପଞ୍ଚାୟତର ବାଲି ସାହିରେ ରହୁଥିବା ପ୍ରାୟ ୫୦ଟି ପରିବାରର ଲୋକେ ପାଣି ଘେରରେ ଫସି ରହିଥିବାରୁ ପ୍ରଶାସନ ତରଫରୁ ସେମାନଙ୍କୁ ଆଜି ନିକଟସ୍ଥ ଚାକୁଣ୍ଡା ପଲ୍ଲି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଗ୍ରାମ ନିକଟରେ ଥିବା ଏକ ନାଳରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ଆସି ଗ୍ରାମରେ ପଶି ଯାଇଥିଲା ଯାହା ଫଳରେ ଘରେ ଥିବା ସମସ୍ତ ଜିନିଷପତ୍ର, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ ହେବା ସହ କେତେକ ଘରର କାନ୍ଥ ଭାଙ୍ଗି ଯାଇଛି। ଯାହା ଫଳରେ ଗ୍ରାମର ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ମଙ୍ଗଳବାର ଏସମ୍ପର୍କରେ ଖବର ପାଇ ବାଉଁଶ ଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ଚୁଡା, ଚାଉଳ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡ଼ିଓ ଅନୁପ କୁମାର ପଣ୍ଡା, ତହସିଲଦାର ନିହାର ରଞ୍ଜନ ବେହେରା,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ବିପନ୍ନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ। ଆସନ୍ତା ୩ଦିନ ପର୍ଯ୍ୟନ୍ତ ସେଠାରେ ଗ୍ରାମବାସୀଙ୍କୁ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦେବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)