ନାବାଳିକା ଧର୍ଷଣ ଓ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ ।

ଜଳେଶ୍ୱର ,୨୩ /୧୦ ଜଳେଶ୍ୱରର ପଶ୍ଚିମବlଡ଼ ସ୍ଥିତ ଦେବକୁମାର ଗାଁର ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଧର୍ଷଣ ପରେ ହତ୍ୟା ଘଟଣାର ଅନୁସନ୍ଧାନ ତଥା ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଜଳେଶ୍ୱର ଥାନାରେ ଦିବା ୧୨ଟା ରେ ପହଞ୍ଚି ଥାନା ଅଧିକାରୀଙ୍କ ସହିତ ଆଲୋଚନା ପରେ ସେଠାରୁ ସେମାନେ ପଶ୍ଚିମବlଡ଼ ଯାଇ ମୃତକ ପରିବାର କୁ ଭେଟି ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ ।

ଏହି ଅନୁସନ୍ଧାନକାରୀ ଦଳରେ ଅଶୋକ ଦାସ, ବିଧାନସଭାର କଂଗ୍ରେସ ଦଳର ଉପ ମୁଖ୍ୟସଚେତକ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ, ବାଙ୍କ ବିହାରୀ ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଜିଲ୍ଲା ସହପ୍ରଭାରୀ ସୁଦର୍ଶନ ଦାସ, ନିର୍ବାଚନ ମଣ୍ଡଳୀ ନେତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ, ଜୟସ୍ମିତା ମହାନ୍ତି, ମହିଳା କଂଗ୍ରେସ ଗଣମାଧ୍ଯମ ଅଧ୍ୟକ୍ଷ ସତ୍ୟ ଶିବ ଦାସ, ଜିଲ୍ଲା କଂଗ୍ରେସ ସଭାପତି,
ଡ ମନୀଷା ଦାଶ ପଟ୍ଟନାୟକ, ନାରୀନେତ୍ରୀ ତଥା କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ଉର୍ମିଳା ମାଝୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ । ସେମାନଙ୍କ ବ୍ୟତୀତ ଜଳେଶ୍ୱର କଂଗ୍ରେସର ଅନ୍ୟ ସ୍ଥାନୀୟ ନେତା ଯଥା ବ୍ଲକ ସଭାପତି ହେମନ୍ତ ଗିରି, ଟାଉନ ସଭାପତି ଜଗଦୀଶ ନନ୍ଦୀ, ସଂଯୋଜକ ମଧୁସୂଦନ ଦାସ, କିଶାନ ନେତା ସୁଦାମ ପାତ୍ର, ରାଜୀବ ପରିଡ଼ା, ଗିରିଜା ଶଙ୍କର ଦାସ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ ।

ପୋଲିସ ଯଦି ଠିକ ସମୟରେ ସଠିକ ପଦକ୍ଷେପ ନେଇଥାନ୍ତା ତେବେ ସେ ଝିଅର ଜୀବନ ରକ୍ଷା ହୋଇ ପାରିଥାନ୍ତା । ପୋଲିସର ଅବହେଳା ସେ ଝିଅର ଧର୍ଷଣ ପରେ ହତ୍ୟା ପାଇଁ ଦାୟୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶାସକ ଦଳର ନେତାମାନଙ୍କ ପୋଲିସ ଉପରେ ପ୍ରଭାବ ମଧ୍ୟ ଏହି ଘଟଣାକୁ ପ୍ରଭାବିତ କରିଛି । ୧୬ ତାରିଖରୁ ୨୨ ତାରିଖ ଭିତରେ କେଉଁ ନେତାମାନେ ଆଇ ଆଇ ସି ଙ୍କୁ ଫୋନ କରିଛନ୍ତି ତାର ଯାଞ୍ଚ ହେବାକୁ କଂଗ୍ରେସ ଦାବି କରିଛି । ଏହି ଧର୍ଷଣ ଓ ହତ୍ୟା ପଛରେ ଜଣେ ନୁହଁ, ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ପ୍ରମାଣ ଲୁଚାଇବା ପାଇଁ ଯେଉଁ କେମିକାଲ ଓ ପଦ୍ଧତି ବ୍ୟବହାର କରାଯାଇଛି, ତାହା ମଧ୍ୟ ଘଟଣାକୁ କୁହେଳିକା ଭିତରକୁ ନେଇଯାଇଛି । ସେଥିପାଇଁ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ଦାବି କରିବା ସହିତ ଦୋଷୀ ପୋଲିସ ଅଧିକାରୀ ମାନଙ୍କୁ ବଦଳି ନୁହଁ, ସେମାନଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ କଂଗ୍ରେସ ଦାବି କରିଛି l ଏହା ସହିତ ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସେ ଝିଅର ବଡ଼ ଭଉଣୀଙ୍କୁ ସରକାରୀ ଚାକିରି ମଧ୍ୟ ଦାବି କରିଛି କଂଗ୍ରେସ ।

ଜଳେଶ୍ୱର ଅଞ୍ଚଳରେ କ୍ରମଶଃ ଅପରାଧ ବୃଦ୍ଧି ପାଉଛି l ମଦର ପ୍ରସାର ସହିତ ବାଲି ଓ ମାଟିର ଚୋରା କାରବାର ଇତ୍ୟାଦି ଏହି ଅପରାଧ ବଢ଼ିବା ପଛର କାରଣ ଏବଂ ଏଥିରେ ପୋଲିସ ଓ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତି କୁ ନେଇ କଂଗ୍ରେସ ପ୍ରତିନିଧି ମଣ୍ଡଳୀ ମଧ୍ଯ ଉଦବେଗ ପ୍ରକାଶ କରିଛନ୍ତି ।

Comments (0)
Add Comment