ଦୁର୍ନୀତି ନିବାରଣ ସଚେତନତା ୱାକାଥନ୍‌ ଅନୁଷ୍ଠିତ ।

ଭୁବନେଶ୍ୱର ୩୦/୧୦(ପିପିଟି): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ସଚେତନତା ୱାକାଥନ୍‌ ଅନୁଷ୍ଠିତ ହୋଇଯାଇଛି । ଏହା ପାୱାର ହାଉସ୍‌ ଛକରୁ ବାହାରି କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଯାଇଥିଲା । ଏହାକୁ ଓଡ଼ିଶା ଭିଜିଲାନ୍ସ ଆଜି ଶ୍ରୀ ସଂଜୟ କୁମାର କୌଶଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଡିଏଭି ପବ୍ଳିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁର, ୟୁନିଟ୍‌-୮ ଓ ପୋଖରୀପୁଟର ଛାତ୍ରଛାତ୍ରୀ, ଷ୍ଟୁଆଟ୍‌ ସ୍କୁଲ, ଲୟଲା ସ୍କୁଲ, ମଦର୍ସ ପବ୍ଲିକ୍‌ ସ୍କୁଲ, ବି.କେ. ଚାରୁ ଓ କାରୁକଳା ମହାବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ଓ କନିଷ୍ଠ ମହାବିଦ୍ୟାଳୟ, ଦେବରାୟ କଲେଜ, ରାଜଧାନୀ ମହାବିଦ୍ୟାଳୟ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ସରସ୍ୱରୀ ଶିଶୁ ବିଦ୍ୟାମନ୍ଦିର, କିସ୍‌ର ଛାତ୍ରଛାତ୍ରୀଙ୍କ ସମେତ ରୋଲର୍‌ ଓ ଆଇସ୍‌ ସ୍କେଟିଂ ଆସୋସିଏସନ୍‌, ସରକାରୀ ଆଇଟିଆଇ, ୟୁନିଟ -୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟ ଇ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମେତ ବିିଭିନ୍ନ ସଂଗଠନର ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।

ତୃଣମୂଳ ସ୍ତରରୁ ଦୁର୍ନୀତି ତଥା ଲାଞ୍ଚ ଦେବା ଓ ନେବା ଏକ ଅପରାଧ ବୋଲି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଓ ସ୍ଳୋଗାନ୍‌ ଦେଇ ୱାକାଥନ୍‌ରେ ଯୋଗଦେଇଥିଲେ । ନିଜ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା ପାଇଁ ପ୍ରୟାସୀ ହେବେ ବୋଲି ବାର୍ତ୍ତା ଦେଇଥିଲେ ।

ଏହି ଅବସରରେ ଭିଜିଲାନ୍ସ ଏଆଇଜି  ସି.ଏମ୍‌. ପାତ୍ର, ଭୁବନେଶ୍ୱର ଦୁର୍ନୀତି ନିବାରଣ ଶାଖାର ଆରକ୍ଷୀ ଅଧୀକ୍ଷକ  ସରୋଜ କୁମାର ସାମଲ, କଟକ ଦୁର୍ନୀତି ନିବାରଣ ଶାଖାର ଆରକ୍ଷୀ ଅଧୀକ୍ଷକ କେ. ବି. ଆଚାର୍ଯ୍ୟ, ସେଲ୍‌ ଡିଭିଜନ୍‌ର ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଭୁବନେଶ୍ୱର ଡିସିପି ଡ. ଶର୍‌ବଣା ବିବେକ, ଆଇନ ପରାମର୍ଶଦାତା ଆର୍‌.ଏନ୍‌. ଦାସଙ୍କ ସମେତ ରାଜ୍ୟ ଦୁର୍ନୀତି ନିବାରଣ ଏକାଡେମୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ୱାକାଥାନ୍‌ରେ ସାମିଲ ହୋଇଥିଲେ ।

Comments (0)
Add Comment